ଓଏଚପିସିରେ “ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୬’ ପାଳନ

ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ସାଧୁତାରୁ ସମୃଦ୍ଧି”

ଭୁବନେଶ୍ୱର, ୩୧/୧୦: ସ୍ୱର୍ଣ୍ଣିମ ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚପିସି) ପକ୍ଷରୁ ୨୬ ଅକ୍ଟୋବର ୨୦୨୬ ସକାଳ ୧୧:୦୦ଟା ସମୟରେ ଏହାର କର୍ପୋରେଟ୍ କାର୍ଯ୍ୟାଳୟ ଏବଂ ରାଜ୍ୟବ୍ୟାପୀ ଥିବା ସମସ୍ତ ୟୁନିଟ୍‌ରେ ସାଧୁତାର ଶପଥପାଠ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସତର୍କତା ଆୟୋଗଙ୍କ ସର୍ବଭାରତୀୟ ପଦକ୍ଷେପ ଅନୁଯାୟୀ, ଏହି ସପ୍ତାହ ୨୬ ଅକ୍ଟୋବରରୁ ୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପାଳନ କରାଯାଉଛି ଏବଂ ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ସାଧୁତାରୁ ସମୃଦ୍ଧି” । କର୍ପୋରେଟ୍ କାର୍ଯ୍ୟାଳୟରେ, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ପ୍ରଣବ କୁମାର ମହାନ୍ତିଙ୍କ ଦ୍ୱାରା ସାଧୁତାର ଶପଥପାଠ କରାଯାଇଥିଲା। ଏହି ଅବସରରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ପରିଚାଳନା) ଶ୍ରୀ ଅମିୟ କୁମାର ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଅଂଶସ୍ୱରୂପ, ଆଜି ଭୁବନେଶ୍ୱର ସ୍ଥିତ ଓଏଚପିସି ପ୍ରଶିକ୍ଷଣ କେନ୍ଦ୍ରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡିଶା ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ପ୍ରଣବ କୁମାର ମହାନ୍ତି, ନିର୍ଦ୍ଦେଶକ (ପରିଚାଳନା) ଶ୍ରୀ ଅମିୟ କୁମାର ମହାନ୍ତି ଏବଂ ଓଏଚପିସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ବ୍ୟକ୍ତିଗତ ତଥା ସାଂସ୍ଥାଗତ – ଉଭୟ ସ୍ତରରେ ଏକ ଦୁର୍ନୀତିମୁକ୍ତ ପରିବେଶ ଗଢ଼ି ତୋଳିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜନସେବା କ୍ଷେତ୍ରରେ ନିଜର ଦୀର୍ଘ ଅଭିଜ୍ଞତାକୁ ଆଧାର କରି ସେ ସମାଜ ଉପରେ ଦୁର୍ନୀତିର ସୁଦୂରପ୍ରସାରୀ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ସେ କର୍ମଚାରୀମାନଙ୍କୁ ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା, ନୈତିକତା ଏବଂ ଉତ୍ତରଦାୟିତ୍ୱର ସର୍ବୋଚ୍ଚ ମାନ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଓଏଚପିସିର ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ସନ୍ଦୀପ ପଟ୍ଟନାୟକ, ସଂସ୍ଥାର ପ୍ରଶାସନିକ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ନେଇ ଓଏଚପିସିର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ, କର୍ପୋରେଟ୍ କାର୍ଯ୍ୟାଳୟ ଏବଂ ପ୍ରଶିକ୍ଷଣ କେନ୍ଦ୍ରର କର୍ମଚାରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ସ୍ଲୋଗାନ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସ୍ଲୋଗାନ୍ ପ୍ରତିଯୋଗିତାରେ ଶ୍ରୀ ରବୀନ୍ଦ୍ର ନାଥ ସାହୁ, ଏସଓ (ଏସଟିଏସ) ପ୍ରଥମ ପୁରସ୍କାର ହାସଲ କରିଥିବା ବେଳେ, ଶ୍ରୀମତୀ ଦୀପିକା ଚୌଧୁରୀ, ପ୍ରବନ୍ଧକ (ଅର୍ଥ) ଏବଂ ଶ୍ରୀ କମଳେଶ ସ୍ୱାଇଁ, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ମିଳିତ ଭାବେ ଦ୍ୱିତୀୟ ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ଶ୍ରୀ ସୁଶ୍ରୀ ଚନ୍ଦନ ପଣ୍ଡା, ପ୍ରବନ୍ଧକ (ବିଦ୍ୟୁତ) ଏବଂ ଶ୍ରୀ ସୌମ୍ୟ ରଞ୍ଜନ ଦାସ, ଜୁନିୟର କ୍ଲର୍କ ମିଳିତ ଭାବେ ତୃତୀୟ ପୁରସ୍କାର ପାଇଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରୀ ରବୀନ୍ଦ୍ର ନାଥ ସାହୁ, ଏସଓ (ଏସଟିଏସ) ପ୍ରଥମ ପୁରସ୍କାର ଜିତିଥିବା ବେଳେ ଶ୍ରୀ ଜ୍ୟୋତିପ୍ରକାଶ ସାହୁ, ଜୁନିୟର କ୍ଲର୍କ ଦ୍ୱିତୀୟ ପୁରସ୍କାର ହାସଲ କରିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଜେତାମାନଙ୍କୁ ପୁରସ୍କାର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

‘ଭିଜିଲାନ୍ସ ସଚେତନତା ସପ୍ତାହ’ ପାଳନ ମାଧ୍ୟମରେ ଓଏଚପିସି ନିଜର କାର୍ଯ୍ୟକଳାପରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସୁଶାସନକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିଛି। ଏହା ସହିତ, କର୍ମଚାରୀମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପାଦନ ସମୟରେ ସଚ୍ଚୋଟତା ଏବଂ ନୈତିକ ମାନଦଣ୍ଡ ବଜାୟ ରଖିବା ପାଇଁ ମଧ୍ୟ ଉତ୍ସାହିତ କରାଯାଇଛି।