ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କଲେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ
ନିଧିଙ୍କ ସହ ଓମାରଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ
ଜମ୍ମୁକାଶ୍ମୀର, ୩୧/୧୦: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଜୀବନରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ସାମ୍ବାଦିକ ନିଧି ରାଜଦାନଙ୍କୁ ବିବାହ କରିଛନ୍ତି ଓମାର ଅବଦୁଲ୍ଲା। ଶନିବାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ନିଜ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ। ନିଧିଙ୍କ ସହ ଏକ ଫଟୋ ସେୟାର କରି ‘ଗତକାଲି ଏକ ନୂଆ ଯାତ୍ରା ଆରମ୍ଭ ହେଲା’ ବୋଲି ଲେଖିଛନ୍ତି। ଏହି ପୋଷ୍ଟରେ ସେ ନିଧି ରାଜଦାନଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ବିବାହର ଗୋଟିଏ ଦିନ ପରେ ଏହି ଖୁସି ଖବରକୁ ସାର୍ବଜନୀନ କରିଛନ୍ତି ଓମାର।
ଓମାର ଅବଦୁଲ୍ଲାଙ୍କ ଏହି ବିବାହ ଖବର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ବଢ଼ାଇଛି। କାରଣ ଏହାର ମାତ୍ର ତିନି ମାସ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କ ପୂର୍ବତନ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ସହ ବିବାହ ବିଚ୍ଛେଦ ପାଇଁ ସହମତି ଦେଇଥିଲେ।
୨୦୨୬ ଜୁଲାଇ ୩୧ ତାରିଖରେ ସୁପ୍ରିମକୋର୍ଟ ଓମାର ଓ ପାୟଲଙ୍କ ବିବାହ ବିଚ୍ଛେଦ ପ୍ରସଙ୍ଗରେ ରାୟ ଦେଇଥିଲେ। ଉଭୟ ପକ୍ଷ ନିଜ ମଧ୍ୟରେ ଥିବା ମତଭେଦ ଦୂର କରି ବିବାହ ବିଚ୍ଛେଦ ପାଇଁ ପାରସ୍ପରିକ ସହମତି ପ୍ରକାଶ କରିଥିବା କୋର୍ଟଙ୍କୁ ଜଣାଇଥିଲେ। ଏଥିସହ ପରସ୍ପର ବିରୋଧରେ ଦାଖଲ କରିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ମଧ୍ୟ ରାଜି ହୋଇଥିଲେ।
ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଓମାର ଅବଦୁଲ୍ଲାଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ଭାରତୀୟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ପାରସ୍ପରିକ ସହମତିରେ ବିବାହ ବିଚ୍ଛେଦ ପାଇଁ ଯୁଗ୍ମ ଆବେଦନ କରିଥିଲେ। ଏହି ମାମଲାରେ ଉଭୟଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଦୁଇ ପକ୍ଷ ନିଜ ମଧ୍ୟରେ ଥିବା ବିବାଦର ସମାଧାନ କରିନେଇଛନ୍ତି।
ସୂଚନାଯୋଗ୍ୟ, ୧୯୯୪ ମସିହାରେ ଓମାର ଅବଦୁଲ୍ଲା ଓ ପାୟଲ ଅବଦୁଲ୍ଲାଙ୍କ ବିବାହ ହୋଇଥିଲା। ଦିଲ୍ଲୀର ଓବରଏ ହୋଟେଲରେ କାମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା। ପରେ ସେମାନଙ୍କ ବିବାହ ହୋଇଥିଲା। ଉଭୟଙ୍କର ଜାହିର ଓ ଜାମିର ନାମକ ଦୁଇ ପୁଅ ଅଛନ୍ତି।
ତେବେ ୨୦୦୯ ମସିହାରୁ ଓମାର ଓ ପାୟଲ ଅଲଗା ରହୁଥିଲେ। ୨୦୧୧ରେ ଓମାର ସାର୍ବଜନୀନ ଭାବେ ନିଜ ବୈବାହିକ ଜୀବନରୁ ଅଲଗା ହେବା ନେଇ ଘୋଷଣା କରିଥିଲେ।
ଏବେ ନିଧି ରାଜଦାନଙ୍କ ସହ ନୂଆ ଜୀବନ ଆରମ୍ଭ କରିଛନ୍ତି ଓମାର ଅବଦୁଲ୍ଲା। ତାଙ୍କର ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି।