ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଅଧିକାରୀ ଓ କର୍ମଚାରୀମାନେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କଲେ

ଭୁବନେଶ୍ୱର, ୩୧/୧୦: ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ରାଷ୍ଟ୍ରୀୟ ଏକତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶପ୍ରେମର ସହିତ ପାଳନ କରାଯାଇଛି।

ଏହି ଅବସରରେ ଖୋର୍ଦ୍ଧାରୋଡ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀମତୀ ଗରିମା ତିୱାରୀ, ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡାକ୍ତର ସବିତା ଶତପଥୀ, ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଅମରେନ୍ଦ୍ରନାଥ ମିଶ୍ର, ସହକାରୀ ବାଣିଜ୍ୟ ପ୍ରବନ୍ଧକ କୁମାରୀ ଡିମ୍ପଲ କୌଶିକଙ୍କ ସମେତ ଅନ୍ୟାନ୍ୟ ରେଳ ଅଧିକାରୀ ଓ କର୍ମଚାରୀ, ରେଳ ସୁରକ୍ଷା ବଳର କର୍ମଚାରୀ, ସିଭିଲ୍ ଡିଫେନ୍ସ କର୍ମଚାରୀ ଏବଂ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସଦସ୍ୟମାନେ ଯୋଗ ଦେଇଥିଲେ।

ଉପସ୍ଥିତ ସମସ୍ତେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଅକ୍ଷୁଣ୍ଣ ରଖିବା ସହ ଏହାକୁ ଅଧିକ ସୁଦୃଢ଼ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ଏହି ପାଳନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶ ପ୍ରତି ସମ୍ମାନ ଜଣାଇବା ସହ ଜାତୀୟ ଏକତା ଓ ଅଖଣ୍ଡତାର ଭାବନାକୁ ଆହୁରି ସୁଦୃଢ଼ କରିବା ପାଇଁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଦୌଡ଼ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲା। ଜାତୀୟ ଏକତା, ସଂହତି ଓ ଭ୍ରାତୃତ୍ୱର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରେଳ ଅଧିକାରୀ ଓ କର୍ମଚାରୀ, ରେଳ ସୁରକ୍ଷା ବଳର ଯବାନ, ସିଭିଲ୍ ଡିଫେନ୍ସ କର୍ମଚାରୀ ଏବଂ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସଦସ୍ୟମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଖୋର୍ଦ୍ଧାରୋଡ ରେଳମଣ୍ଡଳର ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଅମରେନ୍ଦ୍ରନାଥ ମିଶ୍ରଙ୍କ ମାର୍ଗଦର୍ଶନରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।