ନିରଗୁଣ୍ଡି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଆସବାବପତ୍ର ଜଳି ପାଉଁଶ
କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି
କଲ୍ୟାଣସିଂହପୁର, ୩୧/୧୦ (ନରସିଂହ ନାଥ ମହାପାତ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିରଗୁଣ୍ଡି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଦୁର୍ଘଟଣାରେ ଗ୍ରାମର ଯାକେଶିକା କୁଡୁଞ୍ଜିଙ୍କ ଏକ ଟିଣ ଛପର ଘର ଭିତର ଥିବା ଜିନିଷ ପତ୍ର ସମ୍ପୂର୍ଣ୍ଣ ଜଳି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୌଣସି କାରଣରୁ ଯାକେଶିକା କୁଡୁଞ୍ଜି ଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ନିଆଁର ପ୍ରକୋପ ଚାରିଆଡ଼େ ବ୍ୟାପି ଯାଇଥିଲା। ଫଳରେ ଘର ଭିତରେ ଥିବା ଧାନ, ଚାଉଳ, ଲୁଗାପଟା ଓ ସମସ୍ତ ଆସବାପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ କଲ୍ୟାଣସିଂହପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା।
ତେବେ ଅଗ୍ନିକାଣ୍ଡ ଘଟିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହି ଘଟଣାରେ ସର୍ବସ୍ୱ ହରାଇ ଅସହାୟ ହୋଇପଡ଼ିଥିବା କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ତଥା ପ୍ରଶାସନିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।