ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବିଦ୍ୟୁତ୍ ପୁନରୁଦ୍ଧାର ୯୯.୨୮%
୬ଟି ଜିଲ୍ଲାରେ ଶତପ୍ରତିଶତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ
ଭୁବନେଶ୍ୱର, ୦୨/୧୧: ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପରବର୍ତ୍ତୀ ବନ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ, ଶକ୍ତି ବିଭାଗ ପକ୍ଷରୁ ହସ୍ତଗତ ରିପୋର୍ଟ ଅନୁଯାୟୀ ଟିପିଏସ୍ଓଡିଏଲ ଦ୍ୱାରା ପରିଚାଳିତ ଅଞ୍ଚଳରେ ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ ଆଜି ସନ୍ଧ୍ୟା ୮:୦୦ ସୁଦ୍ଧା ୯୯.୨୮% ସଫଳତା ହାସଲ କରିଛି। ସମୁଦାୟ ୧୭,୮୮,୯୪୨ ଜଣ ପ୍ରଭାବିତ ଗ୍ରାହକଙ୍କ ମଧ୍ୟରୁ ୧୭,୭୫,୯୭୫ ଜଣଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଥିବାବେଳେ ବର୍ତ୍ତମାନ ମାତ୍ର ୧୨,୯୬୭ ଜଣ ଗ୍ରାହକଙ୍କ ପାଇଁ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।
ମୁଖ୍ୟ ବିଦ୍ୟୁତ୍ ଭିତ୍ତିଭୂମିଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟରେ ଅସାଧାରଣ ଅଗ୍ରଗତି ପରିଲକ୍ଷିତ ହୋଇଛି। କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ୪୬ଟି ୩୩ କେ.ଭି. ଫିଡର୍, ୧୩୦ଟି ୩୩/୧୧ କେ.ଭି. ପ୍ରାଥମିକ ସବ୍-ଷ୍ଟେସନ୍ ଏବଂ ୬୫୮ଟି ୧୧ କେ.ଭି. ଫିଡର୍ ଶତପ୍ରତିଶତ ପୁନଃସ୍ଥାପିତ ହୋଇସାରିଛି। ଏହାଛଡ଼ା, ୨୭୮ଟି ପାୱାର ଟ୍ରାନ୍ସଫର୍ମର ମଧ୍ୟରୁ ୨୭୭ଟି ଏବଂ ୫୬,୭୦୬ଟି ଡିଷ୍ଟ୍ରିବୁସନ୍ ଟ୍ରାନ୍ସଫର୍ମର ମଧ୍ୟରୁ ୫୬,୪୪୩ଟିକୁ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି।
ଛଅଟି ଜିଲ୍ଲାରେ ଶତପ୍ରତିଶତ (୧୦୦%) ବିଦ୍ୟୁତ୍ ପୁନରୁଦ୍ଧାର ସମ୍ପୂର୍ଣ୍ଣ ହୋଇଛି, ଯେଉଁଥିରେ ବୌଦ୍ଧ, ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଅନ୍ତର୍ଭୁକ୍ତ ଅଛନ୍ତି। ଏହାବ୍ୟତୀତ ଅବଶିଷ୍ଟ ଦୁଇଟି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି; ଯେଉଁଥିରେ କନ୍ଧମାଳରେ ୯୯.୭୮% ଏବଂ ଗଞ୍ଜାମରେ ୯୮.୪୮% ପୁନରୁଦ୍ଧାର କରାଯାଇଛି। କନ୍ଧମାଳ ଓ ଗଞ୍ଜାମରେ ଦୁର୍ଗମ ସ୍ଥାନ ଓ ବର୍ଷା ଜଳ ଜମିଥିବା କାରଣରୁ ଶତପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇପାରିନାହିଁ। କ୍ଷେତ୍ରସ୍ତରରେ ଯନ୍ତ୍ରୀ ଓ ବୈଷୟିକ ଦଳମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଖୁବ୍ ଶୀଘ୍ର ସମସ୍ତ ପ୍ରଭାବିତ ଅଞ୍ଚଳରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ ସେବା ପ୍ରଦାନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।