ଲାଞ୍ଚ ନେବାବେଳେ ଧରାପଡ଼ିଲେ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ

୨ ଲକ୍ଷ ଲାଞ୍ଚ ଟଙ୍କା ଜବତ

ସମ୍ବଲପୁର, ୦୨/୧୧: ସମ୍ବଲପୁର-ତାଳଚେର ରେଲୱେ ଲାଇନ୍ ଦୋହରୀକରଣ ପ୍ରକଳ୍ପର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ ଗଡ଼ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପାଇଁ ଜଣେ ଜମି ମାଲିକଙ୍କ ଜମି ଅଧିଗ୍ରହଣ କରାଯାଇଥିଲା। ଏହି ବାବଦକୁ ଜମି ମାଲିକଙ୍କର ୮୪ ଲକ୍ଷ ୬୨ ହଜାର ଟଙ୍କାର କ୍ଷତିପୂରଣ ରାଶି ମଞ୍ଜୁର ହୋଇସାରିଥିଲା। ତେବେ ଏହି ପ୍ରାପ୍ୟ ଟଙ୍କା ରିଲିଜ୍ କରିବା ପାଇଁ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ ଗଡ଼ନାୟକ ମୋଟା ଅଙ୍କର ଲାଞ୍ଚ ଦାବି କରିଥିଲେ।କ୍ଷତିପୂରଣ ଟଙ୍କା ରିଲିଜ୍ କରିବା ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଅଭିଯୁକ୍ତ ଅଧିକାରୀ ଜଣକ ପୂର୍ବରୁ ଅଭିଯୋଗକାରୀଙ୍କଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ଆକାରରେ ନେଇସାରିଥିଲେ। ବଳକା ଟଙ୍କା ପାଇଁ ସେ ପୁଣି ୨ ଲକ୍ଷ ଟଙ୍କା ଦାବି କରିବାରୁ, ଅଭିଯୋଗକାରୀ ଏ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଅଜୟ ଗଡ଼ନାୟକ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

ଅଭିଯୁକ୍ତଙ୍କ ନିକଟରୁ ୨ ଲକ୍ଷ ଟଙ୍କାର ଲାଞ୍ଚ ରାଶି ଜବତ କରାଯାଇଛି। ଗିରଫଦାରୀ ପରେ ଅଜୟ ଗଡ଼ନାୟକଙ୍କ ସମ୍ବଲପୁରସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ତାଙ୍କର ଅନ୍ୟାନ୍ୟ ସମ୍ପତ୍ତି ଉପରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।