ହରିଦ୍ୱାର, ୦୨/୧୧: ପତଞ୍ଜଳି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ତିନିଦିନିଆ ୫୨ତମ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ ଉଦଯାପିତ ହୋଇଛି। ପତଞ୍ଜଳି ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ବିଦ୍ୱତ୍ ପରିଷଦର ମିଳିତ ପ୍ରୟାସରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସନାତନ ସଂସ୍କୃତି, ଯୋଗ, ଆୟୁର୍ବେଦ, ଭାରତୀୟ ଜ୍ଞାନ ପରମ୍ପରା ଏବଂ ଏଆଇ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ସ୍ୱାମୀ ରାମଦେବ ଭାରତୀୟ ପଞ୍ଚାଙ୍ଗ ଏବଂ ବିକ୍ରମ ସମ୍ବତ୍ କ୍ୟାଲେଣ୍ଡରକୁ ଜାତୀୟ ଜୀବନରେ ଅଧିକ ବ୍ୟାପକ ଭାବେ ଆପଣାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ। ତାଙ୍କୁ ‘ବିଦ୍ୟାଧିପତି-ପ୍ରଶସ୍ତି-ପତ୍ରମ୍’ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସଂସ୍କୃତ, ଯୋଗ ଏବଂ ଆୟୁର୍ବେଦ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ମହାମୋହୋପାଧ୍ୟାୟ’ ଉପାଧିରେ ଭୂଷିତ କରାଯାଇଥିଲା।
ପତଞ୍ଜଳି ବିଶ୍ୱବିଦ୍ୟାଳୟର ପ୍ରତି-କୁଳପତି ସାଧ୍ୱୀ ଡା. ଦେବପ୍ରିୟାଙ୍କୁ ‘ମହାଚାର୍ଯ୍ୟା’ ସମ୍ମାନ ଏବଂ ଡା. ଶିବାନୀଙ୍କୁ ‘ବ୍ୟାକରଣ ପଣ୍ଡିତା ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ୨୪ ଜଣ ଗବେଷକଙ୍କୁ ଶ୍ରେଷ୍ଠ ଗବେଷଣାପତ୍ର ପୁରସ୍କାର ମିଳିଥିଲା।
ଆଚାର୍ଯ୍ୟ ବାଳକୃଷ୍ଣ କହିଥିଲେ ଯେ ଏହି ସମ୍ମିଳନୀରେ ବିଭିନ୍ନ ମତ ଓ ପନ୍ଥାର ସନ୍ଥମାନେ ଏକାଠି ହୋଇ ‘ସନାତନ ଶାସ୍ତ୍ର ଶୁଦ୍ଧି ସମିତି’ ଗଠନ କରି ଏକ ଇତିହାସ ରଚିଛନ୍ତି। ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ପ୍ରଦୀପ ବତ୍ରା କହିଥିଲେ ଯେ ପତଞ୍ଜଳିରେ ପିଲାମାନଙ୍କୁ ଦିଆଯାଉଥିବା ସଂସ୍କାର କୌଣସି ସ୍ୱପ୍ନ ସାକାର ହେଲା ଭଳି ମନେ ହେଉଛି।
ଭାରତୀୟ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଏନ୍.ପି. ସିଂହ ଏବଂ ଶାମ୍ଭବୀ ପୀଠାଧୀଶ୍ୱର ସ୍ୱାମୀ ଆନନ୍ଦ ସ୍ୱରୂପ ଗୁରୁକୁଳ ଶିକ୍ଷା ବ୍ୟବସ୍ଥାକୁ ଦେଶବ୍ୟାପୀ ଆପଣାଇବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଏହି ସମ୍ମିଳନୀରେ ଦେଶର ୨୬ଟି ରାଜ୍ୟରୁ ପ୍ରାୟ ୧,୮୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ୫୫୨ ଶିକ୍ଷକ, ୪୬୭ ଗବେଷକ ଏବଂ ୪୦୩ ଛାତ୍ରଛାତ୍ରୀ ସାମିଲ ଥିଲେ। ସମ୍ମିଳନୀ ଅବସରରେ ମୋଟ ୩୫ଟି ପୁସ୍ତକର ଲୋକାର୍ପଣ କରାଯାଇଥିବାବେଳେ ୯୨ଟି ପୁସ୍ତକ ଓ ପ୍ରଦର୍ଶନୀ ଷ୍ଟଲ୍ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ୧୦୦ରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।