ଭୁବନେଶ୍ୱର, ୦୨/୧୧: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ଆଗୁଆ ଜାମିନ୍ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ପାରଳାଖେମୁଣ୍ଡି ସବ୍ଜେଲ୍କୁ ପଠାଯାଇଛି। ଏହା ସହ ଏହି ମାମଲାରେ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ଜେଲ୍ରେ ଅଛନ୍ତି।
ସୂଚନା ଅନୁସାରେ, ୨୦୨୧ ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡିସ୍ଥିତ ନିଜ ସରକାରୀ ବାସଭବନରେ ସୌମ୍ୟରଞ୍ଜନ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ପରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ବାପା ଅଭିରାମ ମହାପାତ୍ର ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ସେ ନିଜ ବୋହୂ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
ଆହୁରି ପଢ଼ନ୍ତୁ...
ପ୍ରାରମ୍ଭିକ ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ କ୍ଲିନ୍ଚିଟ୍ ଦେଇଥିଲା। କିନ୍ତୁ ଅଭିରାମ ମହାପାତ୍ରଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଏବଂ ତଥ୍ୟକୁ ବିଚାରକୁ ନେଇ ୨୦୨୩ ଏପ୍ରିଲ ୧୯ରେ ପାରଳାଖେମୁଣ୍ଡି ଏସଡ଼ିଜେଏମ୍ କୋର୍ଟ ହତ୍ୟା ଅଭିଯୋଗରେ ବିଚାର ପ୍ରକ୍ରିୟା ଆଗକୁ ବଢ଼ାଇଥିଲେ।
ଏହି ମାମଲାରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଅକ୍ଟୋବର ୩୧ ତାରିଖରେ ଓଡ଼ିଶା ହାଇକୋର୍ଟ ତାଙ୍କ ଆଗୁଆ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ସ୍ପେଶାଲ୍ ଲିଭ୍ ପିଟିସନ୍ ଖାରଜ କରିଥିଲେ। ଏହାପରେ ଆଜି ସେ ପାରଳାଖେମୁଣ୍ଡି ଏସଡ଼ିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ।
ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ପୂର୍ବରୁ କୋର୍ଟରେ ଆତ୍ମସମର୍ପଣ କରି ଜେଲ୍ ଯାଇଥିଲେ। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଉଭୟେ ବର୍ତ୍ତମାନ ପାରଳାଖେମୁଣ୍ଡି ଜେଲ୍ରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।