କଲ୍ୟାଣସିଂହପୁର, ୦୨/୧୧ (ନରସିଂହ ନାଥ ମହାପାତ୍ର ): ଗାଁରେ ପାଣି ଟାଙ୍କି ଅଛି, ସୋଲାର ପମ୍ପ ମଧ୍ୟ ଲାଗିଛି। ହେଲେ ଦୀର୍ଘ ଚାରି ମାସ ହେଲା ଏସବୁ ଅଚଳ ହୋଇ ପଡ଼ିଥିବାରୁ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇବାକୁ ପାଣି ମିଳୁନାହିଁ। ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ୨୬ଟି ପରିବାରର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ। ଶେଷରେ ବାଧ୍ୟ ହୋଇ ୨ କିଲୋମିଟର ଦୂର ନାଳର ପାଣି ସଂଗ୍ରହ କରି ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଉଛନ୍ତି। ଏଭଳି ଜଳକଷ୍ଟର ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ ବରୀଗୁଡା ଗ୍ରାମରେ। ସୂଚନା ଅନୁଯାୟୀ ବରୀଗୁଡା ଗ୍ରାମରେ ପ୍ରାୟ ୨୬ଟି ପରିବାରର ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ପୂର୍ବରୁ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଏନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ପରେ ପଞ୍ଚାୟତ ପକ୍ଷରୁ ଗ୍ରାମବାସୀଙ୍କ ସୁବିଧା ପାଇଁ ସୋଲାର ପମ୍ପ ସହ ପାଣି ଟାଙ୍କି ଓ ପାଇପ୍ ବ୍ୟବସ୍ଥା କରାଯାଇଥିଲା। ଏହାଦ୍ୱାରା ଗ୍ରାମରେ ପାଣି ସମସ୍ୟା ଦୂର ହେବା ସହ ଘର ପାଖରେ ପାନୀୟ ଜଳ ମିଳିବ ବୋଲି ଲୋକେ ଆଶା ବାନ୍ଧିଥିଲେ। କିନ୍ତୁ ଏବେ ସେହି ବ୍ୟବସ୍ଥା ଅଚଳ ହୋଇପଡ଼ିଥିବାରୁ ଗତ ଚାରି ମାସ ଧରି ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ଏନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ମରାମତି କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି। ଏପରିକି ମରାମତି ପାଇଁ ଅନୁରୋଧ କରିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ‘ଆମେ କେତେଥର ମରାମତି କରିବୁ’ ବୋଲି କହି ଫେରାଇ ଦେଉଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି। ଫଳରେ ପାନୀୟ ଜଳ ଯୋଗାଡ଼ କରିବା ଗ୍ରାମବାସୀଙ୍କ ପାଇଁ ନିତିଦିନିଆ ସମସ୍ୟା ପାଲଟିଛି। ଦୁଇ କିଲୋମିଟର ଦୂର ନାଳରୁ ପାଣି ଆଣିବାକୁ ପଡ଼ୁଥିବା ବେଳେ ଏହି ପାଣି ବ୍ୟବହାର କରି ଗ୍ରାମର କେତେକ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସବୁ ଆଦିବାସୀ ପରିବାର ଖଟିଖିଆ କୁଲି ମଜୁରିଆ ଅଟନ୍ତି। ଗ୍ରାମର ସବା କୁନାକା, ମାଧବ କୁନାକା, ସେନା କର୍ଷିକା, ସାହୁ ହୁଇକା, କାନ୍ଦ୍ରା କୁନାକା, ଶଙ୍କର କର୍ଷିକା, ଅର୍ଜୁନ କର୍ଷିକା, ଲେଖିଆ କର୍ଷିକା, ସାଜେ କର୍ଷିକା ଓ ରାଇସାଣା କର୍ଷିକା ପ୍ରମୁଖ କହିଛନ୍ତି ଯେ, ଦୀର୍ଘ ଦିନ ଧରି ପାଣି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ହେଉନାହିଁ। ସରକାର ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଏଠାରେ ନିର୍ମିତ ଜଳଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ତଦାରଖକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ନୀଳିମା ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ଚାରି ମାସ ଧରି ଜଳକଷ୍ଟ ଭୋଗୁଥିବା ଗ୍ରାମବାସୀଙ୍କୁ କେବେ ମିଳିବ ଆଶ୍ୱସ୍ତି? କେବେ ମରାମତି ହେବ ଅଚଳ ସୋଲାର ପମ୍ପ ଓ ପାଣି ଟାଙ୍କି? ଏହା ଏବେ ବରୀଗୁଡାବାସୀଙ୍କ ପାଇଁ ବଡ଼ ପ୍ରଶ୍ନ। ତୁରନ୍ତ ଜଳଯୋଗାଣ ବ୍ୟବସ୍ଥା ସଚଳ କରି ୨୬ ପରିବାରକୁ ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।