ଗଞ୍ଜାମ ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ଭିତ୍ତିଭୂମିର ପୁନରୁଦ୍ଧାର ସ୍ଥିତି ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ
ମହିଳା ମହାବିଦ୍ୟାଳୟଠାରେ ଅସ୍ଥାୟୀ ହସ୍ପିଟାଲ ଆରମ୍ଭ, ଆସିକାର କେନ୍ଦ୍ରୀୟ ବିଦ୍ୟାଳୟରେ ଅସ୍ଥାୟୀ ହସ୍ପିଟାଲ ଆରମ୍ଭ ପାଇଁ ନିର୍ଦ୍ଦେଶ
ପ୍ରଭାବିତ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ଓ ଟେଲିକମ୍ ସେବାକୁ ଶୀଘ୍ର ସ୍ୱାଭାବିକ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୦୨/୧୧: ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିତ୍ତିଭୂମିର ପୁନରୁଦ୍ଧାର ସ୍ଥିତି ଅନୁଧ୍ୟାନ କରିବା ସହ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।
ବନ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟସେବାର ସ୍ୱାଭାବିକୀକରଣ, ହସ୍ପିଟାଲଗୁଡ଼ିକର କାର୍ଯ୍ୟକ୍ଷମତା, ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା, ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା ଏବଂ ବିଦ୍ୟୁତ୍, ପାନୀୟ ଜଳ ଓ ଟେଲିକମ୍ ସେବାର ପୁନରୁଦ୍ଧାର ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳର କୌଣସି ରୋଗୀ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ।
ଏହି ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀ ଉପଖଣ୍ଡ ଚିକିତ୍ସାଳୟ, ଆସିକା (SDH) ପରିଦର୍ଶନ କରି ହସ୍ପିଟାଲରେ ଉପଲବ୍ଧ ଚିକିତ୍ସା ସେବା, ରୋଗୀଙ୍କ ପାଇଁ ରହିଥିବା ସୁବିଧାସୁଯୋଗ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି, ହସ୍ପିଟାଲ ପରିସରର ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଯାଞ୍ଚ କରିଥିଲେ। ବିଶେଷକରି ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ (Biomedical Waste) ଓ ସାଧାରଣ ବର୍ଜ୍ୟବସ୍ତୁର ପୃଥକୀକରଣ, ନିୟମିତ ସଫେଇ ଓ ସୁରକ୍ଷିତ ନିଷ୍କାସନ ବ୍ୟବସ୍ଥାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଜରୁରୀକାଳୀନ ଚିକିତ୍ସା, ଅପରେସନ୍, ଲାବୋରେଟୋରୀ ଓ ଅନ୍ୟାନ୍ୟ ଚିକିତ୍ସା ସେବା ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ଓ ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।
ବନ୍ୟା ପରିସ୍ଥିତି ଯୋଗୁଁ ହସ୍ପିଟାଲର ନିୟମିତ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ସ୍ଥିତିରେ ସାଧାରଣ ରୋଗୀଙ୍କୁ ଯେପରି ଅସୁବିଧା ନହୁଏ, ସେଥିପାଇଁ ଆସିକାଠାରେ କେନ୍ଦ୍ରୀୟ ବିଦ୍ୟାଳୟ (KV) ଓ ମହିଳା ମହାବିଦ୍ୟାଳୟରେ ଦୁଇଟି ଅସ୍ଥାୟୀ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଏବଂ ମହିଳା ମହାବିଦ୍ୟାଳୟରେ ଚିକିତ୍ସା ଆରମ୍ଭ ହୋଇଛି । ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର କରି ଆବଶ୍ୟକ ଡାକ୍ତର, ନର୍ସ, ଔଷଧ ଓ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ଏହି ଦୁଇଟି କେନ୍ଦ୍ର ମାଧ୍ୟମରେ ଜନସାଧାରଣଙ୍କୁ ଆବଶ୍ୟକ ପ୍ରାଥମିକ ଓ ଜରୁରୀ ଚିକିତ୍ସା ସେବା ଯୋଗାଇଦେବା ସହ ଆବଶ୍ୟକ ସ୍ଥଳେ ଉଚ୍ଚତର ଚିକିତ୍ସା ପାଇଁ ରୋଗୀଙ୍କୁ ଉପଯୁକ୍ତ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏଥିସହ ବନ୍ୟା ପ୍ରଭାବିତ ଦୁର୍ଗମ ଓ ଜଳବନ୍ଦୀ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ଅତିରିକ୍ତ ୨୧ଟି ମୋବାଇଲ୍ ହେଲ୍ଥ ୟୁନିଟ୍ (MHU) ନିୟୋଜନ ହେବ । ଏଥିପାଇଁ ପଡ଼ୋଶୀ ଜିଲ୍ଲାରୁ ଅତିରିକ୍ତ ମୋବାଇଲ୍ ହେଲ୍ଥ ୟୁନିଟ୍ ଓ ଡାକ୍ତରୀ ଦଳ ଅଣାଯାଇ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯିବ। ଆଜି ସୁଦ୍ଧା ୧୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ପହଞ୍ଚି କାମ ଆରମ୍ଭ କରିଛନ୍ତି । ଏହି ୟୁନିଟ୍ଗୁଡ଼ିକ ମାଧ୍ୟମରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକ ଔଷଧ ବଣ୍ଟନ ଓ ଜରୁରୀ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରାଯାଇପାରିବ। ବନ୍ୟା ପରବର୍ତ୍ତୀ ସମୟରେ ଜ୍ୱର, ଝାଡ଼ାବାନ୍ତି, ଚର୍ମରୋଗ ଓ ଅନ୍ୟାନ୍ୟ ଜଳବାହିତ ତଥା ସଂକ୍ରାମକ ରୋଗର ଆଶଙ୍କା ଥିବାରୁ ଏହାର ନିରୀକ୍ଷଣ ଓ ପ୍ରତିରୋଧମୂଳକ ପଦକ୍ଷେପକୁ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ମହିଳାଙ୍କୁ ସାନିଟାରି ନାପକିନ ମଧ୍ୟ ଯୋଗାଇ ଦିଆଯାଉଛି । ଆସନ୍ତା କାଲି ୪ଜଣ ଅତିରିକ୍ତ ଅଧିକ ଫୁଡ଼ ସେଫଟି ଅଧିକାରୀ ଖାଦ୍ଯ ଯାଞ୍ଚ ପାଇଁ ମୁତୟନ ହେବେ ।
ବନ୍ୟା ପ୍ରଭାବିତ ଲୋକଙ୍କୁ ଉନ୍ନତ ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ସହଯୋଗ ନେବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିନିମନ୍ତେ ୫ଟି ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ(ହାଇଟେକ , ଆପୋଲୋ, ସମ, ବିକାଶ ଏବଂ ମହାନଦୀ ନେତ୍ରାଳୟ )ର ସହଯୋଗ ଓ ଚିକିତ୍ସା ସେବା ଯୋଗାଣ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ। ସେମାନେ ଆସନ୍ତା କାଲି ସୁଦ୍ଧା ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇଦେବେ । ବିପର୍ଯ୍ୟୟ ସମୟରେ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ ସମନ୍ୱୟ ରହିଲେ ପ୍ରଭାବିତ ଲୋକଙ୍କୁ ଅଧିକ ଦ୍ରୁତ ଓ ଉପଯୁକ୍ତ ଚିକିତ୍ସା ସହାୟତା ମିଳିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହାପରେ ମନ୍ତ୍ରୀ ଜଗମୋହନ ଓ ଜାହାଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାକାର ବନ୍ୟା ପରବର୍ତ୍ତୀ ସ୍ଥିତି, ଚିକିତ୍ସା ସେବାର ଉପଲବ୍ଧତା, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ମହଜୁଦ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟଗତ ଆବଶ୍ୟକତା ଓ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ମଧ୍ୟ ଅଧିକାରୀଙ୍କଠାରୁ ତଥ୍ୟ ନେଇଥିଲେ। ପ୍ରଭାବିତ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ସେବାର ପରିସର ବୃଦ୍ଧି କରିବା ସହ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସ୍ୱାସ୍ଥ୍ୟସେବା ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିତ୍ତିଭୂମିର ପୁନରୁଦ୍ଧାର ଉପରେ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଥିଲେ। ବିଏସଏନଏଲ ସମେତ ଅନ୍ୟ ସେବା ପ୍ରଦାନ କାରି ସଂସ୍ଥା କୁ ଯଥାଶୀଘ୍ର ନେଟୱାର୍କ ସେବା ପହଞ୍ଚାଇବାକୁ କହିଛନ୍ତି | ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଯୋଗାଯୋଗ ସ୍ୱାଭାବିକ ରହିବା ଅତ୍ୟନ୍ତ ଆବଶ୍ୟକ। ତେଣୁ ପ୍ରଭାବିତ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ଓ ଟେଲିକମ୍ ସେବାକୁ ଶୀଘ୍ର ସ୍ୱାଭାବିକ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସେହିପରି ପାନୀୟ ଜଳଯୋଗାଣ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ କହିଥିଲେ। ଜଳ ଉତ୍ସଗୁଡ଼ିକର ସ୍ୱଚ୍ଛତା, ପାନୀୟ ଜଳର ଗୁଣବତ୍ତା ଯାଞ୍ଚ ଓ ଆବଶ୍ୟକ ସ୍ଥଳେ ବିକଳ୍ପ ଜଳଯୋଗାଣ ବ୍ୟବସ୍ଥା କରିବା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ମାନ୍ୟବର ମନ୍ତ୍ରୀ ସମସ୍ତ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ କହିଥିଲେ ଯେ, ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଲୋକଙ୍କ ନିକଟରେ ସମସ୍ତ ମୌଳିକ ସେବା ପହଞ୍ଚାଇବା ହିଁ ସରକାରଙ୍କ ପ୍ରାଥମିକତା। ଏଥିପାଇଁ କେବଳ ନିର୍ଦ୍ଦେଶ ଦେବା ନୁହେଁ, ବରଂ କ୍ଷେତ୍ରସ୍ତରରେ ତାହାର ତ୍ୱରିତ କାର୍ଯ୍ୟାନ୍ୱୟନ ଓ ନିୟମିତ ତଦାରଖ ନିଶ୍ଚିତ କରିବା ଆବଶ୍ୟକ। ଲୋକଙ୍କ ସମସ୍ୟାକୁ ସମ୍ବେଦନଶୀଳତାର ସହ ଶୁଣି ତତ୍ପରତାର ସହ ସମାଧାନ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଜନସାଧାରଣଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରାଜ୍ୟ ସରକାର ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସ୍ୱାଭାବିକ କରିବା ସହ ପାନୀୟ ଜଳ, ବିଦ୍ୟୁତ୍ ଓ ଯୋଗାଯୋଗ ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକର ଶୀଘ୍ର ପୁନଃସ୍ଥାପନ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।
ଏହି ଗସ୍ତ ସମୟରେ ସ୍ୱତନ୍ତ୍ର ଶାସନ ସଚିବ (ବୈଷୟିକ) ଡ. ଭବାନୀ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ବ୍ରହ୍ମପୁର ସିଡିଏମ୍ଓ ଡ. କାମେଶ୍ୱର ରାଓ, ଅତିରିକ୍ତ ନିର୍ଦ୍ଦେଶକ ଡ. ସୁଭାଶିଷ ମହାନ୍ତି, ଫୁଡ଼ ସେଫଟି ନିର୍ଦ୍ଦେଶକ ସଞ୍ଜୟ ରାୟ , ଓକାକ ଟେଲିକମ ଆଡଭାଇଜର ଉପସ୍ଥିତ ଥିଲେ ।