ନୂଆଦିଲ୍ଲୀ, ୦୩/୧୧: ପଶ୍ଚିମ ଏସିଆରେ ଜାରି ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜକୁ ଟାର୍ଗେଟ୍ କରାଯାଇଛି। ଓମାନ ଉପକୂଳ ନିକଟରେ ଭାରତୀୟ ପତାକା ଲାଗିଥିବା ଏକ କାର୍ଗୋ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତ ନାବିକ ଗୁଜରାଟର ବାସିନ୍ଦା ଗନ୍ଧାର ନାହିମ ଅଜିଜ ବୋଲି ଜଣାପଡ଼ିଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏକ୍ସ ଜରିଆରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭାରତୀୟ ପତାକା ଲାଗିଥିବା ଏମ୍ଏସ୍ଭି ଅଲ୍ ଜୁସୁଫି (MSV AL JUSUFI) ନାମକ ଜାହାଜରେ ମୋଟ ୧୪ ଜଣ ଭାରତୀୟ ନାବିକ ଥିଲେ। ଜାହାଜଟି ଓମାନ ଉପକୂଳ ନିକଟରେ ଯାଉଥିବା ସମୟରେ ଏହା ଉପରେ ଆକ୍ରମଣ ହୋଇଥିଲା। ଏହାପରେ ଖବର ପାଇ ଓମାନର କୋଷ୍ଟଗାର୍ଡ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ୧୩ ଜଣ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲେ ମଧ୍ୟ ଗୁରୁତର ଆହତ ହୋଇଥିବା ଗନ୍ଧାର ନାହିମ ଅଜିଜଙ୍କ ଜୀବନ ବଞ୍ଚାଯାଇପାରିନଥିଲା।
ଘଟଣା ପରେ ଭାରତ ସରକାର ଉଦ୍ଧାର ହୋଇଥିବା ନାବିକଙ୍କ ସୁରକ୍ଷା ଓ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି। ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛି। ଉଦ୍ଧାର ହୋଇଥିବା ୧୩ ଜଣ ନାବିକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଏହାସହ ମୃତ ନାବିକଙ୍କ ମରଶରୀରକୁ ଭାରତ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।