ତେହେରାନ, ୦୩/୧୧: ଇରାନ ସହ ଯୁଦ୍ଧର ଅବସାନ ପାଇଁ କୂଟନୈତିକ ଆଲୋଚନା ଜାରି ରହିଥିବା ବେଳେ ଇରାନର କେଶମ ଦ୍ୱୀପ ଉପରେ ଆକ୍ରମଣ କରିଛି ଆମେରିକା। ସୋମବାର ଆମେରିକୀୟ ସେନା ଇରାନର ଏହି ରଣନୈତିକ ଦ୍ୱୀପକୁ ଟାର୍ଗେଟ କରିଥିବା ନେଇ ଆମେରିକାର ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଏହି ଆକ୍ରମଣକୁ ସୀମିତ ଓ ପ୍ରତିରକ୍ଷାମୂଳକ ପଦକ୍ଷେପ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଇରାନ ସହ ଏକ ଚୁକ୍ତି ହେବାର ସମ୍ଭାବନା ରହିଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଏହି ଆକ୍ରମଣ ଘଟିଛି।
ଆମେରିକାର ଅଧିକାରୀଙ୍କ କହିବା ଅନୁସାରେ, ଇରାନ ପକ୍ଷରୁ ଆମେରିକାର ଏକ ବିମାନକୁ ଟାର୍ଗେଟ କରାଯିବା ପରେ ଏହାର ଜବାବରେ କେଶମ ଦ୍ୱୀପ ଉପରେ ଆକ୍ରମଣ କରାଯାଇଥିଲା। ଇରାନୀ ସେନା ପକ୍ଷରୁ ଆମେରିକାର ସାମରିକ ସ୍ଥଳକୁ ଟାର୍ଗେଟ କରିବା ପାଇଁ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟ କରୁଥିବା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା।
ଏହାକୁ ଏକ ପ୍ରତିରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଆମେରିକା କହିଛି। ତେବେ ଏହା ଇରାନ ବିରୋଧରେ ପୁଣିଥରେ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିବାର ସଙ୍କେତ ନୁହେଁ ବୋଲି ଆମେରିକାର କିଛି ଅଧିକାରୀ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ କତାରର ମଧ୍ୟସ୍ଥତାରେ ଆଲୋଚନା ଜାରି ରହିଛି। ଦୋହାରେ ଇରାନୀ ପ୍ରତିନିଧି ଓ କତାରର ମଧ୍ୟସ୍ଥମାନଙ୍କ ମଧ୍ୟରେ କ୍ରମାଗତ ଭାବେ ତିନି ଦିନ ଧରି ଆଲୋଚନା ହୋଇଥିଲା। ତେବେ ଏଥିରେ କୌଣସି ଚୂଡ଼ାନ୍ତ ସହମତି ହୋଇପାରିନଥିବା ଜଣାପଡ଼ିଛି।
ପାରସ୍ୟ ଉପସାଗର ଓ ହର୍ମୁଜ୍ ପ୍ରଣାଳୀ ନିକଟରେ ଅବସ୍ଥିତ କେଶମ ଦ୍ୱୀପ ଇରାନ ପାଇଁ ସାମରିକ ଓ ଆର୍ଥିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ବହନ କରେ। ଏହି ଦ୍ୱୀପ ଇରାନର ବନ୍ଦର ସହର ବନ୍ଦର ଆବାସ୍ ନିକଟରେ ରହିଛି।