ରିଲିଫ ବଣ୍ଟନ କେନ୍ଦ୍ରରେ ବୋମାମାଡ଼: ୨୬ ଜଣଙ୍କ ମୃତ୍ୟୁ
ଅତ୍ୟନ୍ତ ଭୟାବହ ଆକ୍ରମଣ କହି କଡ଼ା ନିନ୍ଦା କଲେ ରାଷ୍ଟ୍ରପତି
କିଭ, ୦୩/୧୧: ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ। ୟୁକ୍ରେନ୍ର ଦକ୍ଷିଣ-ପୂର୍ବ ଜାପୋରିଝିଆ ଅଞ୍ଚଳରେ ରୁଷର ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ ୫ ଜଣ ଆହତ ହୋଇଥିବାବେଳେ ୨୭ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏକ ସ୍କୁଲକୁ ଟାର୍ଗେଟ୍ କରି ରୁଷ ସେନା ଏହି ବୋମାମାଡ଼ କରିଛି। ଉକ୍ତ ସ୍କୁଲ୍କୁ ସ୍ଥାନୀୟ ଲୋକଙ୍କ ପାଇଁ ରିଲିଫ୍ ଓ ମାନବୀୟ ସହାୟତା ବଣ୍ଟନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା। ଏହି ଘଟଣାକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଅତ୍ୟନ୍ତ ଭୟାବହ ଆକ୍ରମଣ ବୋଲି କହିଛନ୍ତି।
ସୂଚନା ଅନୁସାରେ, ନଭେମ୍ବର ୨ ତାରିଖ ସୋମବାର ଜାପୋରିଝିଆ ଅଞ୍ଚଳର କୋମିଶୁଭାଖା ଗାଁରେ ଏହି ଆକ୍ରମଣ ହୋଇଥିଲା। ଗାଁରେ ଥିବା ଏକ ସ୍କୁଲ୍ରେ ପ୍ରତି ସୋମବାର ସ୍ଥାନୀୟ ବାସିନ୍ଦାଙ୍କୁ ମାନବୀୟ ସହାୟତା ସାମଗ୍ରୀ ବଣ୍ଟନ କରାଯାଉଥିଲା। ଯୁଦ୍ଧ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସ୍କୁଲ୍ରେ ପାଠପଢ଼ା ବନ୍ଦ ରହିଥିଲା। ଏହାକୁ ଲୋକଙ୍କ ଆଶ୍ରୟସ୍ଥଳ ଭାବେ ମଧ୍ୟ ବ୍ୟବହାର କରାଯାଉଥିଲା।
ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବା ଅନୁସାରେ, ପ୍ରଥମେ ଲୋକମାନେ ସହାୟତା ସାମଗ୍ରୀ ନେବା ପାଇଁ ସ୍କୁଲ୍ରେ ପହଞ୍ଚୁଥିବା ସମୟରେ ରୁଷ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏହାପରେ ଆକ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୯ଟି ବୋମା ପକାଯାଇଥିଲା। ଲୋକମାନେ ଆଶ୍ରୟ ନେଇଥିବା ସ୍ଥାନକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା ଜେଲେନସ୍କି ଅଭିଯୋଗ କରିଛନ୍ତି।
ଏହି ଆକ୍ରମଣରେ ୟୁକ୍ରେନ୍ର ଜରୁରୀକାଳୀନ ସେବା ବିଭାଗର ଦୁଇ ଜଣ କର୍ମଚାରୀ ଏବଂ ଚାରି ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଆହତ ପାଞ୍ଚ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ନିଖୋଜ ଥିବା ୨୭ ଜଣଙ୍କ ମଧ୍ୟରୁ କିଛି ଲୋକ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।
ଆକ୍ରମଣରେ ସ୍କୁଲ୍ର କୋଠା ସହ ଏକ କ୍ରୀଡ଼ା ହଲ୍, ଅନ୍ୟ ଏକ ନିର୍ମାଣ ଏବଂ ଅଗ୍ନିଶମ ବିଭାଗର ଏକ ଗାଡ଼ି ନଷ୍ଟ ହୋଇଛି। ପ୍ରଥମ ଆକ୍ରମଣ ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପୁଣିଥରେ ଆକ୍ରମଣ ହେବାର ଆଶଙ୍କା ରହିଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା।
ଏହି ଘଟଣାକୁ ନେଇ ଜେଲେନସ୍କି କହିଛନ୍ତି ଯେ, କୋମିଶୁଭାଖାରେ ରହିଯାଇଥିବା ସ୍ଥାନୀୟ ଲୋକମାନେ ପ୍ରତି ସପ୍ତାହରେ ଏହି ସ୍ଥାନରୁ ମାନବୀୟ ସହାୟତା ଗ୍ରହଣ କରୁଥିଲେ। ତେଣୁ ଏହା ଏକ ସହାୟତା ବଣ୍ଟନ କେନ୍ଦ୍ର ବୋଲି ରୁଷ ସେନା ଜାଣିଥିବା ସତ୍ତ୍ୱେ ଆକ୍ରମଣ କରିଛି। ରୁଷ ପ୍ରକୃତରେ ଯୁଦ୍ଧରେ ଉତ୍ତେଜନା ହ୍ରାସ କରିବାକୁ ଚାହୁଁନାହିଁ ବୋଲି କହିଛନ୍ତି।
ଅନ୍ୟପକ୍ଷରେ, ଏହି ଘଟଣା ପରେ ନଭେମ୍ବର ୩ ତାରିଖକୁ ଜାପୋରିଝିଆ ଅଞ୍ଚଳରେ ଶୋକ ଦିବସ ଭାବେ ପାଳନ କରିବାକୁ ସ୍ଥାନୀୟ ପ୍ରଶାସନ ଘୋଷଣା କରିଛି। ରୁଷ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।