ଓଡ଼ିଶାରେ ବନ୍ଦ ହେବ ଉବେର-ରାପିଡୋ ବାଇକ ଟ୍ୟାକ୍ସି ସେବା

୧୫ ଦିନ ଭିତରେ ବାଇକ୍ ବୁକିଂ ସେବା ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୧୩/୧୧: ଓଡ଼ିଶାରେ ଉବେର ଏବଂ ରାପିଡୋର ବାଇକ୍‌ ଟ୍ୟାକ୍ସି ସେବା ବନ୍ଦ ହେବାକୁ ଯାଉଛି। ବେଆଇନ ଭାବେ ଘରୋଇ ଦୁଇଚକିଆ ଯାନକୁ ଯାତ୍ରୀ ପରିବହନରେ ବ୍ୟବହାର କରାଯାଉଥିବାରୁ, ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଦୁଇ ସଂସ୍ଥାକୁ ୧୫ ଦିନ ମଧ୍ୟରେ ବାଇକ୍ ବୁକିଂ ସେବା ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ଏବଂ ଉଭୟ କମ୍ପାନୀର ନୋଡାଲ ଅଫିସରମାନଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ରାଜ୍ୟରେ ଘରୋଇ ବାଇକ୍‌ ବୁକିଂ ସୁବିଧା ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। କଟକ, ଭୁବନେଶ୍ୱର-୧ ଏବଂ ଭୁବନେଶ୍ୱର-୨ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ର ସ୍ୱତନ୍ତ୍ର ଯାଞ୍ଚ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ମୋଟର ଯାନ ଆଇନ ୧୯୮୮ ଏବଂ ଓଡ଼ିଶା ଏଗ୍ରିଗେଟର ଗାଇଡଲାଇନ୍ସ ୨୦୨୩ ଅନୁଯାୟୀ ଘରୋଇ ନମ୍ବର ପ୍ଲେଟ୍ ଥିବା ବାଇକ୍‌କୁ ବ୍ୟବସାୟିକ ଯାତ୍ରୀ ପରିବହନରେ ବ୍ୟବହାର କରିବା ବେଆଇନ ଅଟେ।

ଓଡ଼ିଶା ସୀମା ମଧ୍ୟରେ ଯେପରି କେହି ଆପ୍ ଜରିଆରେ ଘରୋଇ ବାଇକ୍‌ ଟ୍ୟାକ୍ସି ବୁକ୍ କରିପାରିବେ ନାହିଁ, ସେଥିପାଇଁ ଜିଓ-ଫେନ୍ସିଂ ଟେକ୍ନୋଲୋଜି ଲାଗୁ କରିବାକୁ କମ୍ପାନୀମାନଙ୍କୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଦ୍ଦେଶ ନମାନିଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ତେବେ ଏହି କଟକଣା କେବଳ ଘରୋଇ ଦୁଇଚକିଆ ଯାନ ବା ବାଇକ୍‌ ଟ୍ୟାକ୍ସି ଉପରେ ଲାଗୁ ହୋଇଛି। ଉବେର ଓ ରାପିଡୋ ଆପ୍‌ରେ ଉପଲବ୍ଧ ଥିବା ଅନୁମୋଦିତ କ୍ୟାବ୍ (ଚାରିଚକିଆ) ଏବଂ ଅଟୋ-ରିକ୍ସା ସେବା ପୂର୍ବଭଳି ସ୍ୱାଭାବିକ ଭାବେ ଜାରି ରହିବ।