ଭୁବନେଶ୍ୱର, ୧୩/୧୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ‘ନବରତ୍ନ’ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଆଜି ଭୁବନେଶ୍ୱରରେ ଏହାର “ମିଡିଆ କନେକ୍ଟ ୨୦୨୬” ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ସିଏମ୍ଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କ ସମେତ ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ) ଶ୍ରୀ ଜଗଦୀଶ ଅରୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ଡ. ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଅଭୟ କୁମାର ବେହୁରିଆ ଏବଂ ନିର୍ଦ୍ଦେଶକ (ବାଣିଜ୍ୟିକ) ଶ୍ରୀ ଅନିଲ କୁମାର ସିଂହ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଲକୋର ପ୍ରଦର୍ଶନ, ପ୍ରମୁଖ ସଫଳତା, ପ୍ରକଳ୍ପ, ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମ, ସିଏସଆର ପଦକ୍ଷେପ ଏବଂ ଜାତୀୟ ବିକାଶ ସମ୍ବନ୍ଧୀୟ ଉପସ୍ଥାପନା କରାଯାଇଥିଲା ।
କମ୍ପାନୀ ଏବଂ ଗଣମାଧ୍ୟମ ମଧ୍ୟରେ ଆଲୋଚନା ପାଇଁ ଏକ ପାରସ୍ପରିକ ମଞ୍ଚ ଭାବରେ ‘ମିଡିଆ କନେକ୍ଟ ୨୦୨୬’ ରେ ନାଲକୋର ଅଭିବୃଦ୍ଧି ପଥ, ଭବିଷ୍ୟତ ସମ୍ପ୍ରସାରଣ ଯୋଜନା, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂ କହିଛନ୍ତି ଯେ ଦେଶର ବର୍ଦ୍ଧିତ ଆଲୁମିନିୟମ ଚାହିଦାକୁ ପୂରଣ କରିବା ପାଇଁ ନାଲକୋ ଏହାର ମାଇନିଂ, ରିଫାଇନିଙ୍ଗ ଏବଂ ସ୍ମେଲଟିଙ୍ଗ ସମ୍ବନ୍ଧୀୟ ସମ୍ପ୍ରସାରଣ କାର୍ଯ୍ୟ ଜାରି ରଖିଛି । ସେ ସୂଚନା ଦେଇଛନ୍ତି ଯେ, ଅନୁଗୋଳଠାରେ କମ୍ପାନୀର ପ୍ରସ୍ତାବିତ ୦.୫ ଏମଟିପିଏ ବ୍ରାଉନଫିଲ୍ଡ ସ୍ମେଲଟର ସମ୍ପ୍ରସାରଣ କାର୍ଯ୍ୟ ଅଗ୍ରଗତି କରିଛି, ଯାହା ଏହାର ସ୍ମେଲଟିଙ୍ଗ କ୍ଷମତାକୁ ୧ ଏମ୍ଟିପିଏ କୁ ଦ୍ୱିଗୁଣିତ କରିବ ଏବଂ ଆନୁମାନିକ ବିନିଯୋଗ ୩୦,୦୦୦ କୋଟି ଏବଂ ୨୦୩୦-୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଥିର ଅଭିବୃଦ୍ଧି, ଅକ୍ଷୟ ଶକ୍ତି, ଡିଜିଟାଲ ରୂପାନ୍ତର ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନରୁଦ୍ଧାରକୁ କେନ୍ଦ୍ର କରି ନାଲକୋ ଭବିଷ୍ୟତର ରୋଡମ୍ୟାପ ପ୍ରସ୍ତୁତ କରୁଛି । ୨୦୩୦ ସୁଦ୍ଧା ନବୀକରଣ ଯୋଗ୍ୟ ଉତ୍ସରୁ ଶକ୍ତି ଆବଶ୍ୟକତାର ୨୫-୩୦% ବ୍ୟବହାର କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବାବେଳେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ପାଇଁ ଏଆଇ ଏବଂ ଏଏମଲ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ତ୍ଵ ଦେଉଛି ।
ଉଲ୍ଲେଖଯୋଗ୍ୟ ଯେ, ନାଲକୋ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ରେକର୍ଡ ଅର୍ଦ୍ଧ-ବାର୍ଷିକ ଆର୍ଥିକ ପ୍ରଦର୍ଶନ କରି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି । ଉତ୍କୃଷ୍ଟ କାର୍ଯ୍ୟକ୍ଷମ ଦକ୍ଷତା ଏବଂ ସୁଦୃଢ଼ ବ୍ୟବସାୟିକ ଭିତ୍ତିଭୂମି ପ୍ରଦର୍ଶନ କରି, ନାଲକୋ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସମସ୍ତ ପ୍ରମୁଖ ଆର୍ଥିକ ମାନଦଣ୍ଡରେ ରେକର୍ଡ ପ୍ରଦର୍ଶନ ହାସଲ କରିଛି ।
କମ୍ପାନୀର ସର୍ବକାଳୀନ ସର୍ବାଧିକ ମୋଟ ଆୟ ₹୧୧,୧୪୩ କୋଟି ହୋଇଥିବାବେଳେ ଗତ ବର୍ଷର ସମାନ ଅବଧି ତୁଳନାରେ ୩୩% ଅଭିବୃଦ୍ଧି ଘଟିଛି । ଏବିଟା ୫୦% ବୃଦ୍ଧି ପାଇ ₹୫,୫୩୯ କୋଟିରେ ପହଞ୍ଚିଛି, ଯାହା ଏକ ସର୍ବକାଳୀନ ରେକର୍ଡ ଅଟେ । ସେହିପରି, କର ପୂର୍ବ ଲାଭ ୫୫% ବୃଦ୍ଧି ପାଇ ₹୫,୧୬୦ କୋଟିରେ ପହଞ୍ଚିଛି । କର ପରବର୍ତ୍ତୀ ଲାଭ ₹୩,୮୩୭ କୋଟି ରହିଛି, ଯାହା ଗତ ବର୍ଷ ତୁଳନାରେ ୫୪% ଅଭିବୃଦ୍ଧିକୁ ଅଟେ । ସେପ୍ଟେମ୍ବର ୨୦୨୬ ରେ ଶେଷ ହୋଇଥିବା ତ୍ରୈମାସିକରେ, ନାଲକୋର ନିଟ୍ ଲାଭ ୨୮% ବୃଦ୍ଧି ପାଇ ₹୧,୮୩୫ କୋଟି ହୋଇଛି; ଯାହା ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସିକରେ ₹୧,୪୩୩ କୋଟି ଥିଲା । ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ବ୍ୟବସାୟରୁ ମୋଟ ଆୟ ୨୬% ବୃଦ୍ଧି ପାଇ ₹୫,୪୧୯ କୋଟିରେ ପହଞ୍ଚିଛି, ଯାହା କମ୍ପାନୀର ନିରନ୍ତର କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ବଜାର ସ୍ଥିତିକୁ ଦର୍ଶାଉଛି । କମ୍ପାନୀର ଦୃଢ଼ ଆର୍ଥିକ ପ୍ରଦର୍ଶନ ସହିତ ଏହାର କାର୍ଯ୍ୟକ୍ଷମ ସଫଳତା ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି । ନାଲକୋ ୨.୩୫ ଲକ୍ଷ ଟନ୍ ଆଲୁମିନିୟମ୍ କାଷ୍ଟ ମେଟାଲ୍ ଉତ୍ପାଦନ କରିଛି, ଯାହା ଏହାର ଅର୍ଦ୍ଧ-ବାର୍ଷିକ ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ସର୍ବାଧିକ ଅଟେ । ଏହା ସହିତ, ଆଲୁମିନା ଏବଂ ଆଲୁମିନିୟମ୍ ଧାତୁର ଘରୋଇ ବିକ୍ରି ମଧ୍ୟ ସର୍ବକାଳୀନ ସର୍ବାଧିକ ସ୍ତରରେ ପହଞ୍ଚିଛି, ଯାହା ଭାରତୀୟ ଆଲୁମିନିୟମ୍ କ୍ଷେତ୍ରରେ କମ୍ପାନୀର ସୁଦୃଢ଼ ସ୍ଥିତିକୁ ପୁନର୍ବାର ପ୍ରମାଣିତ କରୁଛି । ଅଂଶୀଦାରମାନଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଇ, କମ୍ପାନୀ ପ୍ରତି ଇକ୍ୱିଟି ସେୟାର ପିଛା ₹୪.୫୦ ର ଅନ୍ତରୀଣ ଲାଭାଂଶ ଘୋଷଣା କରିଛି । ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ମୋଟ ₹୮୨୬.୪୮ କୋଟି ଟଙ୍କା ପ୍ରଦାନ କରାଯିବ ।
ରେକର୍ଡ ଆର୍ଥିକ ପ୍ରଦର୍ଶନ ସହିତ, କମ୍ପାନୀ ଓଡ଼ିଶାର ଅନୁଗୋଳ ଠାରେ ପ୍ରସ୍ତାବିତ ୦.୫ ଏମଟିପିଏ ବ୍ରାଉନଫିଲ୍ଡ ଆଲୁମିନିୟମ ସ୍ମେଲଟର ସମ୍ପ୍ରସାରଣ ପ୍ରକଳ୍ପ ମାଧ୍ୟମରେ ଏହାର ଦୀର୍ଘକାଳୀନ ବିସ୍ତାର ଯୋଜନା କାର୍ଯ୍ୟ ଜାରି ରଖିଛି। ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଗୁରୁତ୍ୱପୂର୍ଣ୍ଣ ଅନୁମୋଦନଗୁଡ଼ିକ ହାସଲ ହେବା ସହ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ ସହ ପ୍ରଯୁକ୍ତିବିଦ୍ୟା ସହଭାଗୀତାରେ, ଅନୁଗୋଳ ଠାରେ ବିଶ୍ୱସ୍ତରୀୟ ପ୍ରମାଣିତ ଏବଂ ଶକ୍ତି-ଦକ୍ଷ ଉତ୍ପାଦନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ ରଖାଯାଇଛି । ସମ୍ପ୍ରସାରିତ ସ୍ମେଲ୍ଟରର ଅତିରିକ୍ତ ବିଦ୍ୟୁତ୍ ଆବଶ୍ୟକତା ପୂରଣ କରିବା ପାଇଁ, ନାଲକୋ ଏବଂ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ ଏକ ୫୦:୫୦ ଅଂଶୀଦାରୀ ବିଶିଷ୍ଟ ମିଳିତ ଉଦ୍ୟୋଗ ମାଧ୍ୟମରେ ୧,୦୮୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଏକ କ୍ୟାପଟିଭ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ (ନିଜସ୍ୱ ତାପଜ ବିଦ୍ୟୁତ୍ କେନ୍ଦ୍ର) ସ୍ଥାପନ କରିବାକୁ ଯାଉଛନ୍ତି । ନିରନ୍ତର ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ, କମ୍ପାନୀ ଏହି ପ୍ରକଳ୍ପ ବ୍ୟବସ୍ଥାରେ ୨୦୦-୨୫୦ ମେଗାୱାଟ୍ ନବୀକରଣଯୋଗ୍ୟ ଶକ୍ତି ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ଯୋଜନା କରୁଛି ।
ନାଲକୋର ସମ୍ପ୍ରସାରଣ ରୋଡମ୍ୟାପ୍ ଦାମନଜୋଡ଼ିରେ ଚାଲିଥିବା ୫ମ ଷ୍ଟ୍ରିମ୍ ଆଲୁମିନା ରିଫାଇନାରୀ ପ୍ରକଳ୍ପ ଦ୍ୱାରା ଆହୁରି ସମର୍ଥିତ, ଯାହା ବିସ୍ତାରିତ ସ୍ମେଲ୍ଟରର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଆଲୁମିନା ଉତ୍ପାଦନ କରିବ ଏବଂ ଅତିରିକ୍ତ କ୍ଷମତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନର ପ୍ରକଳ୍ପଗୁଡ଼ିକ ବ୍ୟତୀତ, କମ୍ପାନୀ ମୂଲ୍ୟ ବୃଦ୍ଧି, ଶିଳ୍ପ ସ୍ୱାବଲମ୍ବନ ଏବଂ ଉତ୍ପାଦନ ଅଭିବୃଦ୍ଧିର ଜାତୀୟ ଉଦ୍ଦେଶ୍ୟ ସହିତ ସମନ୍ୱୟ ରଖି ଅତିରିକ୍ତ ଗ୍ରୀନଫିଲ୍ଡ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ରଖିଛି । ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ସମର୍ଥନରେ ଆଗେଇବା ସହ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଡାଉନଷ୍ଟ୍ରିମ୍ ଶିଳ୍ପକୁ ମଜବୁତ କରିବ, ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ଏବଂ ଭାରତର ଆଲୁମିନିୟମ୍ କ୍ଷେତ୍ରର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ରେକର୍ଡ ଆର୍ଥିକ କାର୍ଯ୍ୟଦକ୍ଷତା, ନିରନ୍ତର କାର୍ଯ୍ୟକ୍ଷମ ଉତ୍କୃଷ୍ଟତା ଏବଂ ଏକ ଦୃଢ଼ ସମ୍ପ୍ରସାରଣ ସହିତ, ନାଲକୋ ଦେଶର ଶିଳ୍ପ ଏବଂ ଅର୍ଥନୈତିକ ବିକାଶରେ ବହୁମୂଲ୍ୟ ଯୋଗଦାନ ଦେବା ସହିତ ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ମୂଲ୍ୟ ସୃଷ୍ଟି କରିବାକୁ ପ୍ରତିବଦ୍ଧ । ପ୍ରଶ୍ନୋତ୍ତର ଅଧିବେଶନ ସହିତ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ଆଶୁତୋଷ ରଥ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ ।