କଣ୍ଟେନର ସହ ମିନି ବସ୍‌ର ମୁହାଁମୁହିଁ ଧକ୍କା: ୨୦ ଜଣଙ୍କର ମୃତ୍ୟୁ

ଉଦ୍ଧାର କାର୍ଯ୍ୟ ଜାରି, ଆହୁରି ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଆସାମ, ୧୩/୧୧: ଆସାମର କାଜିରଙ୍ଗାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ର ମୁହାଁମୁହିଁ ଧକ୍କା ହେବାରୁ ଅତି କମ୍‌ରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ମିନି ବସ୍‌ରେ ଅଧିକାଂଶ ଛାତ୍ରଛାତ୍ରୀ ଯାତ୍ରା କରୁଥିବା ପ୍ରାଥମିକ ସୂଚନା ମିଳିଛି। ଦୁର୍ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ଯାତ୍ରୀ ଏହା ଭିତରେ ଫସି ରହିଥିବା ଆଶଙ୍କା ରହିଛି।

ସୂଚନା ଅନୁସାରେ, ମିନି ବସ୍‌ଟି ବୋକାଖାଟରୁ ନଗାଓଁ ଅଭିମୁଖେ ଯାଉଥିବା ବେଳେ କାଜିରଙ୍ଗା ନିକଟରେ ଏକ କଣ୍ଟେନର ଟ୍ରକ୍‌ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍‌ଦାର ଥିଲା ଯେ ବସ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନଙ୍କୁ କୋହୋରା ମଡେଲ ହସ୍ପିଟାଲକୁ ନିଆଯାଇଥିବାବେଳେ ଗୁରୁତରଙ୍କୁ ଜୋରହାଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗୋଲାଘାଟ ଜିଲ୍ଲାର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ସ୍ୱପ୍ନନୀଳ ଡେକାଙ୍କ କହିବା ଅନୁଯାୟୀ, ପ୍ରାଥମିକ ରିପୋର୍ଟରୁ ଦୁର୍ଘଟଣାରେ ଅତି କମ୍‌ରେ ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଭଙ୍ଗା ବସ୍‌ ଭିତରୁ ମୃତଦେହ ଉଦ୍ଧାର କରାଯାଉଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ତେବେ ବସ୍‌ରେ ପ୍ରକୃତରେ କେତେ ଜଣ ଯାତ୍ରୀ ଥିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।