ମାଲକାନଗିରିରେ ରାଜ୍ୟସ୍ତରୀୟ ‘ଜନଜାତୀୟ ଗୌରବ ଦିବସ’ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ
ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମାଲକାନଗିରିକୁ ୧୬୧ କୋଟିର ପ୍ରକଳ୍ପ ଭେଟି
ଜନଜାତି ବର୍ଗଙ୍କ ସଶକ୍ତିକରଣ ବିନା ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ଅସମ୍ଭବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫/୧୧: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ସମାଜର ଆରାଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ତଥା ଜାତୀୟ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ଆଜି ମାଲକାନଗିରିଠାରେ ରାଜ୍ୟସ୍ତରୀୟ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜନଜାତି ବର୍ଗ ହେଉଛନ୍ତି ଦେଶର ସବୁଠାରୁ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ବର୍ଗ। ସେମାନଙ୍କ ସଶକ୍ତିକରଣ ବିନା ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ଅସମ୍ଭବ ବୋଲି ସେ କହିଥିଲେ।
ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାରେ ବିର୍ସା ଥିଲେ ଜଣେ ଅଗ୍ରଣୀ ନାୟକ। ତାଙ୍କ ପ୍ରେରଣାରେ ସମଗ୍ର ଆଦିବାସୀ ସମାଜ ସ୍ୱାଧୀନଚେତା ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଦେଶର ଆଦିବାସୀମାନେ ଆଜି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେଉଛନ୍ତି ବୋଲି ସେ କହିଥିଲେ।
ଏହି ଅବସରରେ ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଜାତି ବର୍ଗର ସାମଗ୍ରିକ ଉନ୍ନତିରେ ହିଁ ଆମେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିପାରିବା। ଆଜିର ଏହି ଜନଜାତୀୟ ଗୌରବ ଦିବସ ପାଳନ କେବଳ ଏକ ଆନୁଷ୍ଠାନିକ ଉତ୍ସବ ନୁହେଁ, ବରଂ ଏହା ଆମ ଜନଜାତି ସମାଜର ଗୌରବମୟ ଇତିହାସ, ପରମ୍ପରା, ଭାଷା, କଳା, ସଂସ୍କୃତି ଓ ଐତିହ୍ୟକୁ ସ୍ମରଣ କରିବା ସହିତ ଆଗାମୀ ପିଢ଼ି ମଧ୍ୟରେ ଏହାର ସୁରକ୍ଷା ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଅବସର ଅଟେ।
ମାଲକାନଗିରି ଜନସଂଖ୍ୟାର ୫୮ ପ୍ରତିଶତ ହେଉଛନ୍ତି ଜନଜାତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେଥିପାଇଁ ସାମାଜିକ, ଆର୍ଥିକ ଓ ପ୍ରଶାସନିକ ଦୃଷ୍ଟିରୁ ମାଲକାନଗିରିକୁ ଆମେ ସର୍ବାଧିକ ଗୁରୁତ୍ୱ ଦେଉଛୁ। ମାଲକାନଗିରି ଜିଲ୍ଲାରେ ୪,୨୦୦ କୋଟି ଟଙ୍କା ବିନିଯୋଗରେ ଦୁଇଟି ଶିଳ୍ପ ପ୍ରକଳ୍ପ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାଲକାନଗିରି ଜିଲ୍ଲାର ବିକାଶ ଉପରେ ତାଙ୍କର ସମ୍ପୂର୍ଣ୍ଣ ଫୋକସ୍ ରହିଛି। ସମୃଦ୍ଧ ଓଡିଶା ଗଠନ ଦିଗରେ ଟିମ୍ ଓଡିଶା ରେ ସାମିଲ୍ ହେବା ପାଇଁ ଟିମ୍ ମାଲାକାନଗିରି ଗଠନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ମହାରାଷ୍ଟ୍ରର ଗଡଚିରୋଲୀଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଉଦ୍ବୋଧନ ଦେବା ପରେ ମାଲକାନଗିରିଠାରେ ରାଜ୍ୟସ୍ତରୀୟ ସମାବେଶ ଆରମ୍ଭ ହୋଇଥିଲା। ଏହି ଗୌରବମୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୧୬୧ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି। ଏଥିମଧ୍ୟରୁ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ପ୍ରସାର ନିମନ୍ତେ ୫୫ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ୨୮ଟି ନୂତନ ଛାତ୍ରାବାସ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ବେଳେ, ଜିଲ୍ଲାର ଭିତ୍ତିଭୂମି ଓ ସାମଗ୍ରିକ ଉନ୍ନତି ପାଇଁ ୧୦୬ କୋଟି ଟଙ୍କା ବିନିଯୋଗରେ ୩୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନଜାତି ପରିବାରଗୁଡ଼ିକର ଆର୍ଥିକ ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦’ ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷରେ ୧୯ଟି ଜିଲ୍ଲାର ୧୩୪ଟି ବ୍ଲକର ପ୍ରାୟ ୮ ଲକ୍ଷ ଅନୁସୂଚିତ ଜନଜାତି ଓ ବିଶେଷ ଅନୁନ୍ନତ ଜନଜାତି (PVTG) ପରିବାରକୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ ଓଡିଶାକୁ ୪ ଲକ୍ଷ ଘର ଆବଣ୍ଟନ ହୋଇଥିଲା। ତାଙ୍କର ବ୍ୟକ୍ତିଗତ ଅନୁରୋଧ ପରେ ଏହାକୁ ଆଉ ୧ ଲକ୍ଷ ବଢା ଯାଇ ୫ ଲକ୍ଷ ଘର ଆବଣ୍ଟନ କରାଯାଇଛି। ତେବେ, ସେ ଆହୁରି ୧ ଲକ୍ଷ ଘର ପାଇଁ ଦାବୀ କରିଛନ୍ତି। ଖୁବ୍ ଶୀଘ୍ର ଏହା ପୂରଣ ହେବ ବୋଲି ସେ ଦୃଢ ଆଶା ପୋଷଣ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଇଞ୍ଜିନିଅରିଙ୍ଗ୍ ଓ ମେଡିକାଲ ପାଠ୍ୟକ୍ରମରେ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତିଙ୍କ ପାଇଁ ୧୬.୨୫ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ସହିତ ଓଡ଼ିଶାରେ ଏକକାଳୀନ ୨୪ଟି ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇ ମୋଟ ସଂଖ୍ୟା ୭୧ରେ ପହଞ୍ଚିଛି, ଯାହା ସମଗ୍ର ଦେଶରେ ସର୍ବାଧିକ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ଦୃଢ ନେତୃତ୍ୱର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଆଜି ବିକାଶର ନୂଆ ଶିଖରରେ ପହଞ୍ଚିଛି। ଶିଳ୍ପ, ଭିତ୍ତିଭୂମି ଓ ଅର୍ଥନୀତିର ଉନ୍ନତି ସହିତ ଗରିବ ଲୋକଙ୍କ କଲ୍ୟାଣ ଓ ସଶକ୍ତିକରଣ କାର୍ଯ୍ୟକ୍ରମ ସଫଳ ଭାବେ ଲୋକଙ୍କ ପାଖରେ ପହଞ୍ଚିଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଆଜି ଯଦି ମାଲକାନଗିରି ଭଳି ଦୁର୍ଗମ ଅଞ୍ଚଳର ମାଆଟିଏ ଗ୍ୟାସ ସିଲିଣ୍ଡରରେ ରୋଷେଇ କରୁଛି ଏବଂ ମୋବାଇଲ ଫୋନ୍ ମାଧ୍ୟମରେ ଡିଜିଟାଲ ପେମେଣ୍ଟ କରିପାରୁଛି, ତେବେ ଏହା ହିଁ ବିକଶିତ ଭାରତ ପଥରେ ଆମର ଅଗ୍ରଗତିର ପ୍ରକୃତ ପ୍ରମାଣ, ଯାହା ୧୦-୧୨ ବର୍ଷ ପୂର୍ବେ କଳ୍ପନା କରିବା ମଧ୍ୟ ଅସମ୍ଭବ ଥିଲା।
ରାଜନୈତିକ ଇତିହାସର ପୃଷ୍ଠା ଓଲଟାଇ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଗୁଡ଼ିକର ନୀତି ଉପରେ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ୨୦୧୪ ମସିହା ପୂର୍ବରୁ ଦେଶରେ କେବଳ ଗୋଟିଏ ପରିବାରର ନାମ ହିଁ ଚର୍ଚ୍ଚାରେ ରହୁଥିଲା ଏବଂ ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଦେଶର ବିକାଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରର ଶ୍ରେୟ ସେହି ଗୋଟିଏ ପରିବାରକୁ ଦିଆଯାଉଥିଲା। ଫଳସ୍ୱରୂପ ଭଗବାନ ବିର୍ସା ମୁଣ୍ଡା, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମହାନ ରାଷ୍ଟ୍ରନାୟକଙ୍କ ବଳିଦାନକୁ ଇତିହାସର ଅନ୍ଧକାରକୁ ଠେଲି ଦିଆଯାଇଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଆସିବା ପରେ ଏହି ଅନାଲୋଚିତ ବୀର ପୁରୁଷମାନଙ୍କୁ ଯଥୋଚିତ ସମ୍ମାନ ମିଳିପାରିଛି ଏବଂ ୨୦୨୧ ମସିହାରୁ ନଭେମ୍ବର ୧୫ ତାରିଖକୁ ସମଗ୍ର ଦେଶରେ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯିବା ଦ୍ୱାରା ଆଜି ନୂତନ ପିଢ଼ି ଏହି ବୀରମାନଙ୍କ ଶୌର୍ଯ୍ୟ ବିଷୟରେ ଜାଣିପାରୁଛନ୍ତି।
ଆଦିବାସୀ ପରିବାରଗୁଡ଼ିକର ଆର୍ଥିକ ସ୍ୱାବଲମ୍ବନ ଏବଂ ଜୀବିକା ନିର୍ବାହକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ଦୀର୍ଘମିଆଦୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ ଅଧୀନରେ ଓଡ଼ିଶାର ୨୭ଟି ଜିଲ୍ଲାର ୭ ହଜାର ୬୬୭ଟି ଗ୍ରାମକୁ ସାମିଲ କରାଯାଇ ପକ୍କା ଘର, ପାନୀୟ ଜଳ, ସଡ଼କ, ସ୍ୱାସ୍ଥ୍ୟ ଓ ଶିକ୍ଷାର ସୁବିଧା ଯୋଗାଇ ଦିଆଯାଉଛି।
ମାଲକାନଗିରିର ଦୁର୍ଗମ ଅଞ୍ଚଳରୁ ଆସି ବଣ୍ଡା ଜନଜାତିର ମଙ୍ଗଳା ମୁଦୁଲି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏବଂ ଦିଦାୟୀ ଜନଜାତିର ଚମ୍ପା ରାସପେଦା ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ NEET ପରୀକ୍ଷାରେ ସଫଳତା ପାଇ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ, ବଣ୍ଡା ଜନଜାତିର ବିନି ମୁଦୁଲି ଏବଂ ଆଦିବାସୀ ସମ୍ପ୍ରଦାୟର ଶ୍ୟାମା ମାଢ଼ୀ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେବା ନୂତନ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦିଦାୟୀ ଜନଜାତି ବର୍ଗର ୨ଜଣ Ph.D ଛାତ୍ର ଏବଂ ଜଣେ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଭଗବାନ ବିର୍ସାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ବିର୍ସା ମୁଣ୍ଡା ହେଉଛନ୍ତି ପ୍ରତ୍ୟେକ ଜନଜାତିଙ୍କ ପାଇଁ ଗର୍ବ ଓ ଗୌରବ। ଆଦିବାସୀ ମାନଙ୍କ ହକ୍ ଜଳ-ଜଙ୍ଗଲ-ଜମି ପାଇଁ ଇଂରେଜ ସରକାରଙ୍କ ବିରୁଦ୍ଧରେ ସେ ଯୁଦ୍ଧ ଡାକରା ଦେଇଥିଲେ। ଦେଶରେ ଯଦି ଆଜି ଜନଜାତି ବର୍ଗ ଆଗକୁ ବଢୁଛି, ତାର ଶ୍ରେୟ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଜନଜାତି ବର୍ଗଙ୍କୁ ସଶକ୍ତ କରିବାରେ ଓ ସେମାନଙ୍କୁ ଉଚିତ ସମ୍ମାନ ଦେବାରେ ଦେଶରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରଶଂସନୀୟ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁ ଖିଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ସୋଡୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ ଏବଂ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଭାଇଭଉଣୀ, ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।