ବାତ୍ୟା ଭୟରେ ଧାନ ଅମଳରେ ଲାଗିପଡ଼ିଲେ ଚାଷୀ

ଖଳାରେ ଧାନ କୁପା କରି ରଖିବା ସହ ମେସିନ୍‌ରେ ଚାଲିଛି ଧାନ ପେଡ଼ା କାର୍ଯ୍ୟ

କଲ୍ୟାଣସିଂହପୁର, ୧୫।୧୧ (ନିପ୍ର): ଆଗକୁ ସମ୍ଭାବ୍ୟ ବାତ୍ୟାର ଭୟ ଓ ବର୍ଷା ଆଶଙ୍କାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି କଲ୍ୟାଣସିଂହପୁର ଅଞ୍ଚଳର ଚାଷୀ। ବର୍ଷସାରା କଠିନ ପରିଶ୍ରମ କରି ଅମଳ କରିଥିବା ଧାନକୁ ବାତ୍ୟା ଓ ବର୍ଷାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ଏବେ ଦିନରାତି ଏକ କରି ଧାନ ସଂଗ୍ରହ କାର୍ଯ୍ୟରେ ଲାଗିପଡ଼ିଛନ୍ତି। ବିଲରେ ପାଚି ଯାଇଥିବା ଧାନକୁ ଶୀଘ୍ର କାଟି ଆଣି ଖଳାରେ କୁପା କରି ରଖିବା ସହ ଧାନ ପେଡ଼ା ମେସିନ୍‌ ସାହାଯ୍ୟରେ ଧାନ ପେଡ଼ାଇ ଘରକୁ ନେଉଥିବା ଦୃଶ୍ୟ ଏବେ ଅଞ୍ଚଳର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି। ଯେଉଁ ଧାନ ଅମଳ ପାଇଁ ଚାଷୀ ମାସ ମାସ ଧରି ପରିଶ୍ରମ କରିଥିଲେ ତାହା ଯେପରି ବର୍ଷା ପାଣିରେ ନଷ୍ଟ ନ ହୁଏ।ସେଥିପାଇଁ ସମସ୍ତେ ତତ୍ପର ହୋଇଉଠିଛନ୍ତି। ଚାଷୀ ହୁଇକା ଫକୀର, ଚକ୍ର ପ୍ରେସିକାଙ୍କ ସମେତ ଅଞ୍ଚଳର ଅନେକ ଚାଷୀ କହିଛନ୍ତି ଯେ ଧାନ ଅମଳ ସମୟରେ ବାତ୍ୟାର ଆଶଙ୍କା ଦେଖାଦେବାରୁ ଆଉ ଅପେକ୍ଷା କରିବା ସମ୍ଭବ ହେଉନାହିଁ। ଯେତେ ଶୀଘ୍ର ସମ୍ଭବ ଧାନ କାଟି ପେଡ଼ାଇ ଘରକୁ ନେଇଗଲେ ଫସଲ ସୁରକ୍ଷିତ ରହିବ ବୋଲି ସେମାନେ କହିଛନ୍ତି।ଅନ୍ୟପକ୍ଷରେ ଚାଷୀଙ୍କ ପାଇଁ ଧାନ ହିଁ ବର୍ଷକର ମୁଖ୍ୟ ଆୟର ଉତ୍ସ। ତେଣୁ ପ୍ରକୃତିର ଦାଉରୁ ନିଜର ଅମଳ ଫସଲକୁ ବଞ୍ଚାଇବା ପାଇଁ ଏବେ ଚାଷୀଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଛି। ବାତ୍ୟାର ପ୍ରଭାବ କମ୍ ରହୁ ଏବଂ ଚାଷୀଙ୍କ ଝାଳବୁହା ପରିଶ୍ରମର ଫଳ ସୁରକ୍ଷିତ ରହୁ ଏହା ହିଁ ସମସ୍ତଙ୍କ ଆଶା।