ଲାଖପଦରରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ
ପେସା ଆଇନ କାର୍ଯ୍ୟକାରୀ ସହ ଅଟକ ଆଦିବାସୀ ନେତାଙ୍କ ମୁକ୍ତି ଦାବି, ଏକାଠି ହେଲେ ୧୧୨ ଗାଁର ଆଦିବାସୀ
କଲ୍ୟାଣସିଂହପୁର, ୧୫/୧୧ (ନିପ୍ର): ଆଦିବାସୀଙ୍କ ହକ୍, ଅଧିକାର ଓ ଜଳ, ଜଙ୍ଗଲ, ଜମିର ସୁରକ୍ଷା ପାଇଁ ସଂଗ୍ରାମର ଆହ୍ୱାନ ଦେଇ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ଲାଖପଦରଠାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ରବିବାର ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଏହି ସମାରୋହରେ ନିୟମଗିରି ପାଦଦେଶରେ ଥିବା ୬ଟି ପଞ୍ଚାୟତର ୧୧୨ ଖଣ୍ଡ ଗ୍ରାମର ଆଦିବାସୀ ଏକାଠି ହୋଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ତ୍ୟାଗ, ବଳିଦାନ ଓ ଆଦିବାସୀଙ୍କ ଅଧିକାର ପାଇଁ ତାଙ୍କ ସଂଗ୍ରାମକୁ ସ୍ମରଣ କରାଯାଇଥିଲା। ଏହି ଅବସରରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଧିକାର ସମ୍ପର୍କରେ ଆଲୋଚନା ହେବା ସହ ଜେଲରେ ଥିବା ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକାଙ୍କ ସମେତ ଲିଙ୍ଗରାଜ ଆଜାଦ, ଲକ୍ଷ୍ମଣ ନାୟକ, ହୀରାମଲ ନାୟକ ଓ ଡକ୍ଟର ରାଣ୍ଡେଲଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି ଉଠିଥିଲା। ଏଥିସହ ରାଜ୍ୟରେ ପେସା (PESA) ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରି ଗ୍ରାମସଭାକୁ ତାର ସାମ୍ବିଧାନିକ ଅଧିକାର ଓ କ୍ଷମତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି ରଖାଯାଇଥିଲା। ସଭାରେ ନିୟମଗିରି ଅଞ୍ଚଳର ବହୁ ପାରମ୍ପରିକ ନେତା, ବୁଦ୍ଧିଜୀବୀଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ନିଜର ହକ୍ ଓ ଅଧିକାର ପାଇଁ ଏକଜୁଟ ରହିବା ସହ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ସେହିପରି ବିଜେପି ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ସଦରଠାରେ ମଧ୍ୟ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କରାଯାଇଥିଲା। ମୁଖ୍ୟ ଅତିଥି କାଳିରାମ ମାଝୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ଏଥିରେ କୃଷ୍ଣ ସାମଲ, ଗୁଡୁଲ୍ଲା ସନ୍ଦୀପ କୁମାରଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଆଦିବାସୀ କନ୍ଧ କୁଳ ସମାଜ ପକ୍ଷରୁ ସୁନାଖଣ୍ଡି ଛକଠାରେ ସଭାପତି ଯୋଗେନ୍ଦ୍ର ୱାଡକାଙ୍କ ନେତୃତ୍ୱରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ହୋଇଥିଲା। ଏଥିରେ ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିଶିକା, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଭାପତି ଲକ୍ଷ୍ମୀ ପ୍ରାସ୍କା, ବିଏସ୍ପି ବ୍ଲକ ସଭାପତି କୃପାସିନ୍ଧୁ ଭତ୍ରା, ଦକ୍ଷିଣ ଓଡ଼ିଶା ଆଦିବାସୀ ସଂଘର ସଂଯୋଜକ ଦିନବନ୍ଧୁ ହୁଇକା, ପୂର୍ବତନ ସରପଞ୍ଚ ସାରିବୁ ନିଶିକା, ବିଧାୟକ ପ୍ରତିନିଧି ବଳାରାଓ ବିଡ଼ିକା, କାମ ବାଗ, ଦଣ୍ଡାସି କର୍ଷିକା, ପ୍ରମଦ କାଡ୍ରାକା, ସିନ୍ଧୁ କୁଲେସିକା ଓ ପରିଚାଳନାରେ ବିସିକେଶନ ବାଗଙ୍କ ସମେତ ବହୁ ଆଦିବାସୀ ନେତା ଓ ଜନସାଧାରଣ ଯୋଗଦେଇଥିଲେ। ତିନୋଟି ସ୍ଥାନରେ ଜୟନ୍ତୀ ପାଳନ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ, ଆଦିବାସୀ ସ୍ୱାଭିମାନ ଓ ଅଧିକାରର ସୁରକ୍ଷା ଦିଗରେ ଏକତାର ବାର୍ତ୍ତା ଦିଆଯାଇଥିଲା।