ମହାଶକ୍ତି ଫାଉଣ୍ଡେସନର ୨୨ ତମ ବାର୍ଷିକ ସମ୍ମିଳନୀ

ଅନୁଷ୍ଠାନର ବାର୍ଷିକ ବିବରଣୀ, ସଫଳ କାହାଣୀ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ

ମୁନିଗୁଡା ୧୫/୧୧ (ରାଜୀବ ଲୋଚନ ଦାସ) ଓଡ଼ିଶାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ୨୨ତମ ବାର୍ଷିକ ସମ୍ମିଳନୀ ଉପଲକ୍ଷେ -ସୁଦୃଢ଼ ଅନୁଷ୍ଠାନ ମାଧ୍ୟମରେ ବିକାଶକୁ ଗତିଶୀଳ କରିବା ସମ୍ପର୍କିତ ଏକ କର୍ମଶାଳା ଭୁବନେଶ୍ୱର ହୋଟେଲ ପ୍ରାଚୀ ସରୋବରରେ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ତୃଣମୂଳ ସ୍ତରୀୟ ଅନୁଷ୍ଠାନ ମାନଙ୍କ ସ୍ଥାୟିତ୍ୱ ତଥା ବିଭିନ୍ନ ପ୍ରକଳ୍ପର ସମାପ୍ତି ପରେ ପ୍ରସ୍ତାବିତ କାର୍ଯ୍ୟଧାରାକୁ ଜାରି ରଖିବାରେ ସେମାନଙ୍କର ଭୂମିକା, କାର୍ଯ୍ୟକାରୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ନାବାର୍ଡର ଉପ ମହାପ୍ରବନ୍ଧକ ଶ୍ରୀ ସୁମନ ସୌରଭ ସାହୁ, ମହାରାଜା କୃପାଳୁ ବିଶ୍ୱବିଦ୍ୟାଳୟର କୁଳପତି ଡ. ରବି ନାରାୟଣ ଶତପଥୀ, କୃଷି ବିଭାଗର ଯୁଗ୍ମ ଉପ ନିର୍ଦ୍ଦେଶକ ଶ୍ରୀ ଉମା ଶଙ୍କର ମିଶ୍ର, ବେଦାନ୍ତ ର ସି.ଏସ. ଆର ମୁଖ୍ୟ ଶ୍ରୀମତୀ ହରମିତ୍ ସେରା, ଆଦିତ୍ୟ ବିର୍ଲାର ସି. ଏସ. ଆର. ମୁଖ୍ୟ ଶ୍ରୀ ଶିବ ଶଙ୍କର ମହାପାତ୍ର, ଟ୍ରାଏଫେଡର ଆଞ୍ଚଳିକ ମୁଖ୍ୟ ଶ୍ରୀମତୀ ସୁମନା ସାହା, ଟି.ପି.ସି.ଓ.ଡି.ଏଲ୍ ର ସି.ଏସ.ଆର ମୁଖ୍ୟ ଶ୍ରୀ ତନ୍ମୟ ମହାନ୍ତି, ରିଲାଏନ୍ସ ଫାଣ୍ଡେସନର ସି.ଏସ.ଆର ମୁଖ୍ୟ ଶ୍ରୀ ରାଜିନ୍ଦର ସିଂହ, ଏ. ଆଇ.ପି.ଏଚ ବିଶ୍ୱବିଦ୍ୟାଳୟର ଡିନ୍ ଡ.ପ୍ରଦୀପ ପଣ୍ଡା, ଏଚ. ଡି. ଏଫ୍. ସି ବ୍ୟାଙ୍କର ସି.ଏସ.ଆର ପରିଚାଳକ ଶ୍ରୀ ଚନ୍ଦନ କୁମାର ନାୟକ, କିଟ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଶ୍ୱେତାଲୀନା ହୋତା ପ୍ରମୁଖ ଯୋଗ ଦେଇ ଦୁଇଟି ଅଧିବେଶନରେ ବିକାଶ ମୂଳକ କାର୍ଯ୍ୟକ୍ରମଗୁଡିକର ଚିରନ୍ତନ ପରିଚାଳନାରେ ବିକାଶକର୍ମୀଙ୍କ ଭୂମିକା ବିଷୟରେ ଆଲୋଚନା କରିଥଲେ।

ଅଧିବେଶନଗୁଡିକୁ ଅନୁଷ୍ଠାନର ସଭାପତି ଡ. ଦେବାଶିଷ ମହାପାତ୍ର ଓ ବୋର୍ଡ ସଦସ୍ୟା, ଡ. ଆଭା ମିଶ୍ର ସଞ୍ଚାଳନା କରିଥିଲେ। ସମ୍ମିଳନୀରେ ଅନୁଷ୍ଠାନର ବାର୍ଷିକ ବିବରଣୀ, ସଫଳ କାହାଣୀ ସମ୍ପର୍କିତ ପୁସ୍ତକ ଗୁଡିକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ସଫଳ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମିଳନୀ ପରିଚାଳନାରେ ସୁଶ୍ରୀତା ରଥ, ସରୋଜ କୁମାର ମହାପାତ୍ର, ମୋହନ କୁମାର ବଳିୟାରସିଂହ, ଶୁଭଶ୍ରୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ସମ୍ମିଳନୀରେ ୧୫୦ରୁ ଉର୍ଦ୍ଧ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।