ବାତ୍ୟା ‘ଅକୱାନ’ ପୂର୍ବରୁ ଜଳଭଣ୍ଡାରରେ ଜଳ ପରିଚାଳନା ଓ ବନ୍ୟା ମୁକାବିଲା ପ୍ରସ୍ତୁତି ଜୋରଦାର
ଆଗୁଆ ନିୟନ୍ତ୍ରିତ ଜଳ ନିଷ୍କାସନ ମାଧ୍ୟମରେ ଜଳଭଣ୍ଡାରରେ ଅତିରିକ୍ତ ସ୍ଥାନ ସୃଷ୍ଟି ଉପରେ ଗୁରୁତ୍ୱ
ନଦୀର ନିମ୍ନ ଅବବାହିକାର ସୁରକ୍ଷା ଓ ଡ୍ୟାମ୍ଗୁଡ଼ିକରେ ୨୪ ଘଣ୍ଟିଆ ତଦାରଖ ବ୍ୟବସ୍ଥା
ଭୁବନେଶ୍ୱର, ୧୮/୧୧: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ ଏବଂ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ୟା ମୁକାବିଲା ଓ ଜଳ ପରିଚାଳନା ପ୍ରସ୍ତୁତିକୁ ଅଧିକ ଜୋରଦାର କରିଛି ଜଳ ସମ୍ପଦ ବିଭାଗ। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ବେଦନଶୀଳ ନଦୀ ଅବବାହିକା ଓ ଜଳଭଣ୍ଡାରଗୁଡ଼ିକରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମାର୍ଗଦର୍ଶନରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ସଜାଗ ରହିବା ସହ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ଷାଜଳ ଗଚ୍ଛିତ ରଖିବା ପାଇଁ ଜଳଭଣ୍ଡାରଗୁଡ଼ିକରେ ଅତିରିକ୍ତ ସ୍ଥାନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ଓ ନିୟନ୍ତ୍ରିତ ଭାବେ ଆଗୁଆ ଜଳ ନିଷ୍କାସନ ଆରମ୍ଭ କରାଯାଇଛି। ଏହି ଜଳ ନିଷ୍କାସନ ସମୟରେ ନିମ୍ନ ଅବବାହିକାର ନଦୀଗୁଡ଼ିକର ଜଳଧାରଣ କ୍ଷମତାକୁ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ଘାଇ ସୃଷ୍ଟି ହୋଇଥିବା ସ୍ଥାନ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ନଦୀବନ୍ଧ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଡ୍ୟାମ୍ଗୁଡ଼ିକରେ ଯନ୍ତ୍ରୀମାନଙ୍କୁ ନିୟୋଜିତ ରହି ଗେଟ୍ ପରିଚାଳନା ଓ ଜଳ ନିଷ୍କାସନକୁ ନିରନ୍ତର ତଦାରଖ କରିବା ସହ ନିମ୍ନ ଅବବାହିକାର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି।
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟକୁ ଆଧାର କରି ବିଭାଗ ପକ୍ଷରୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ଅସ୍ଥାୟୀ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଏବଂ ସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି। ଜଳଭଣ୍ଡାରର ଜଳସ୍ତର, ଡ୍ୟାମ୍ ଗେଟ୍ର ପରିଚାଳନା ଓ ସମ୍ବେଦନଶୀଳ ନଦୀ ଅଞ୍ଚଳର ଜଳସ୍ଥିତିକୁ ନିରନ୍ତର ଅନୁଧ୍ୟାନ କରିବା ସହ କ୍ଷେତ୍ରୀୟ ଯନ୍ତ୍ରୀମାନଙ୍କୁ ଚବିଶ ଘଣ୍ଟିଆ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି। ଯେକୌଣସି ଆକସ୍ମିକ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ଅନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖାଯାଇଛି।
ବୈଷୟିକ ଓ ପରିଚାଳନାଗତ ପ୍ରସ୍ତୁତି ସହିତ ଜନସଚେତନତା ଓ ସୂଚନା ପ୍ରସାର ଉପରେ ମଧ୍ୟ ବିଭାଗ ଗୁରୁତ୍ୱ ଦେଇଛି। ସମ୍ବେଦନଶୀଳ ଅଞ୍ଚଳ ଓ ନଦୀର ନିମ୍ନ ଅବବାହିକାରେ ରହୁଥିବା ଲୋକମାନଙ୍କୁ ଆଗୁଆ ଜଳ ନିଷ୍କାସନ ସମ୍ପର୍କରେ ସୂଚନା ଦିଆଯିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ମାଇକ୍ ଯୋଗେ ପ୍ରଚାର ଓ ଅନ୍ୟାନ୍ୟ ସ୍ଥାନୀୟ ଯୋଗାଯୋଗ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି।
ବିଭାଗର ବରିଷ୍ଠ ଅଧିକାରୀଙ୍କ ନିରନ୍ତର ତଦାରଖ ଓ କ୍ଷେତ୍ରସ୍ତରୀୟ ଦଳଗୁଡ଼ିକର ସମନ୍ୱିତ କାର୍ଯ୍ୟ ମାଧ୍ୟମରେ ଆସନ୍ନ ବାତ୍ୟା ଓ ବର୍ଷାର ସମ୍ଭାବ୍ୟ ପ୍ରଭାବକୁ ଆଗୁଆ ଆକଳନ କରିବା, ଜଳ ପ୍ରବାହର ସୁପରିଚାଳନା କରିବା ଏବଂ ଜନଜୀବନ, ଜୀବିକା ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଜଳ ସମ୍ପଦ ବିଭାଗ ପ୍ରତିବଦ୍ଧ ରହିଛି।