ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ବ୍ୟାପକ ପ୍ରସ୍ତୁତି
ନଦୀବନ୍ଧ, ଜଳଭଣ୍ଡାର ଓ ବ୍ୟାରେଜ୍ ଉପରେ ୨୪ ଘଣ୍ଟିଆ ନଜର
ଭୁବନେଶ୍ୱର, ୧୮/୧୧: ସମ୍ଭାବ୍ୟ ବାତ୍ୟାଜନିତ ପାଣିପାଗ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ୟା ମୁକାବିଲା ପ୍ରସ୍ତୁତିକୁ ଜୋରଦାର କରିଛି ରାଜ୍ୟ ଜଳ ସମ୍ପଦ ବିଭାଗ। ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜରମାନଙ୍କୁ ସତର୍କ ରହିବା ସହ ନିରନ୍ତର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଦୀବନ୍ଧ, ଜଳଭଣ୍ଡାର, ବ୍ୟାରେଜ୍, କେନାଲ ଓ ଡ୍ରେନେଜ୍ ବ୍ୟବସ୍ଥା ସମେତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ନଜରଦାରୀ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ବନ୍ୟା ବିପଦକୁ ହ୍ରାସ କରିବା, ଜଳସେଚନ ଭିତ୍ତିଭୂମିର ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ନିମନ୍ତେ ବିଭାଗର ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଛି।
ଏହି ପ୍ରସ୍ତୁତିର ଏକ ପ୍ରମୁଖ ଅଂଶ ଭାବେ ଜଳଭଣ୍ଡାରଗୁଡ଼ିକର ବୈଜ୍ଞାନିକ ପରିଚାଳନା ଓ ନଦୀଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି। ଜଳଭଣ୍ଡାରର ଜଳସ୍ତରକୁ ସୁରକ୍ଷିତ ସୀମା ମଧ୍ୟରେ ରଖିବା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ନିୟନ୍ତ୍ରିତ ଜଳ ନିଷ୍କାସନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ନିମ୍ନ ଅବବାହିକା ଅଞ୍ଚଳର ଅଧିକାରୀମାନଙ୍କୁ ଆଗୁଆ ସୂଚନା ଦିଆଯାଉଛି। ଜଳଭଣ୍ଡାରକୁ ଜଳ ପ୍ରବେଶ ଓ ନିଷ୍କାସନ, ନଦୀର ଜଳସ୍ତର ଏବଂ ବନ୍ଧ ଓ ବ୍ୟାରେଜ୍ ମାଧ୍ୟମରେ ଜଳ ନିଷ୍କାସନ ଉପରେ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନଜର ରଖିଛନ୍ତି। ଏଥିସହ ସମ୍ବେଦନଶୀଳ ନଦୀବନ୍ଧ, ନଦୀତଟ, ସ୍ଲୁଇସ୍ ଓ ହେଡ୍ ରେଗୁଲେଟରଗୁଡ଼ିକର ଯାଞ୍ଚ କରାଯାଇ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି।
ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ଆଗେଇ ନେଇ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଓ ଘାଇ ସୃଷ୍ଟି ହୋଇଥିବା ପ୍ରମୁଖ ସ୍ଥାନଗୁଡ଼ିକରେ ଅସ୍ଥାୟୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଆଗାମୀ ପାଣିପାଗ ପରିସ୍ଥିତିରେ ବନ୍ୟାଜଳର ସୁରକ୍ଷିତ ନିଷ୍କାସନ ନିମନ୍ତେ ଏହି ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ତୁରନ୍ତ ମୁତୟନ ପାଇଁ ଯନ୍ତ୍ରୀ, କ୍ଷେତ୍ର କର୍ମଚାରୀ, ଯାନବାହନ ଓ ଆବଶ୍ୟକ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ବାଲିବସ୍ତା, ପଥର, ବାଲି, ମାଟି ଓ ସିମେଣ୍ଟ ଭଳି ଜରୁରୀ ସାମଗ୍ରୀକୁ ବିଭିନ୍ନ ରଣନୀତିକ ସ୍ଥାନରେ ମହଜୁଦ ରଖାଯାଇଛି।
ସମନ୍ୱିତ ଓ ତ୍ୱରିତ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି। ନିଯୁକ୍ତ ଅଧିକାରୀମାନେ ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିଚାଳନା ସଂସ୍ଥା ସହ ନିରନ୍ତର ସମନ୍ୱୟ ରକ୍ଷା କରୁଛନ୍ତି। ସମ୍ବେଦନଶୀଳ ଓ ତଳିଆ ଅଞ୍ଚଳଗୁଡ଼ିକ ପାଇଁ ଆକସ୍ମିକ ପରିସ୍ଥିତି ମୁକାବିଲା ଯୋଜନା ପ୍ରସ୍ତୁତ ରହିଛି। ନଦୀବନ୍ଧରେ ଘାଇ, ଭିତ୍ତିଭୂମିର କ୍ଷୟକ୍ଷତି କିମ୍ବା ଜଳସ୍ତରରେ ଅସ୍ୱାଭାବିକ ବୃଦ୍ଧି ଦେଖାଦେଲେ ତୁରନ୍ତ ସୂଚନା ଦେବାକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କୁହାଯାଇଛି।
ନିରନ୍ତର ନଜର, ସତର୍କତାମୂଳକ ଜଳଭଣ୍ଡାର ପରିଚାଳନା, ଜରୁରୀକାଳୀନ ସାମଗ୍ରୀର ଉପଲବ୍ଧତା ଏବଂ ସଜାଗ କ୍ଷେତ୍ରସ୍ତରୀୟ ଦଳ ମାଧ୍ୟମରେ ରାଜ୍ୟରେ ବନ୍ୟା ପରିଚାଳନାକୁ ଅଧିକ ସୁଦୃଢ଼ କରିବା ସହ ଜନଜୀବନ, ସମ୍ପତ୍ତି ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି।