ନିୟମଗିରିରେ ନୂତନ ଅଙ୍ଗନୱାଡି ଗୃହ ଉଦଘାଟିତ

ଶିଶୁ ଓ ମାତୃ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

କଲ୍ୟାଣସିଂହପୁର, ୧୮/୧୧ (ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଲାଖପଦର ଗ୍ରାମଠାରେ ଏକ ନୂତନ ଅଙ୍ଗନୱାଡି ଗୃହର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ନୂତନ ଗୃହକୁ ଲୋକାର୍ପଣ କରିଥିଲେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାୟଗଡା ଉପ-ଜିଲ୍ଲାପାଳ ମୃଣାଳିକା ରାଠୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହଟିକୁ ଉଦଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନିଷା ଦାସ, ତହସିଲଦାର ରଞ୍ଜନ ମାନସେଠ, ସହକାରୀ ନିର୍ବାହୀ ଯନ୍ତ୍ରୀ  କ୍ଷୀରୋଦ କାଲୋ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ  ଲଳିତା ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି କନିଷ୍ଠ ଯନ୍ତ୍ରୀ ଶିବଶଙ୍କର ହେମ୍ବ୍ରମ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ରାଜସ୍ୱ ନିରୀକ୍ଷକ ଗୌରୀଶଙ୍କର କାଣ୍ଡାଗରୀ ଏବଂ ଅଙ୍ଗନୱାଡି ସୁପରଭାଇଜର ଉମା ପାର୍ବତୀ ରୁଦ୍ରବନ୍ଧୁଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଡ଼ଙ୍ଗରିଆ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ନୂତନ ଗୃହ ନିର୍ମାଣ ଫଳରେ ସ୍ଥାନୀୟ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଉତ୍ତମ ସେବା ମିଳିବା ସହ ପୁଷ୍ଟିକର ଖାଦ୍ୟ ପାଇ ପାରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।