ବାତ୍ୟା ଅର୍ଣ୍ଣବ ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ

ଧାନ ଅମଳ ଆଶା ଧୂଳିସାତ୍, କ୍ଷତିପୂରଣ ପାଇଁ ପ୍ରଶାସନକୁ ଗୁହାରି

କଲ୍ୟାଣସିଂହପୁର, ୧୭/୧୧ (ନିପ୍ର): ଚାଷୀଙ୍କ ମୁହଁରେ ହସ ଫୁଟାଇବା ପୂର୍ବରୁ ଉଜାଡ଼ିଦେଲା ବାତ୍ୟା ଅର୍ଣ୍ଣବ। ମାସ ମାସ ଧରି ଝାଳବୁହା ପରିଶ୍ରମ କରି ଚାଷ ଜମିରେ ସୁନାର ଫସଲ ଫଳାଇଥିବା ଚାଷୀଙ୍କ ସବୁ ଆଶା ଏବେ ମାଟିରେ ମିଶିଯାଇଛି। ଅମଳ ସମୟରେ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଫଳରେ ଚାଷୀ ପରିବାର ଏବେ ଚିନ୍ତାରେ ଭାଙ୍ଗି ପଡ଼ିବା ସହ ସରକାରୀ ସହାୟତା ଓ କ୍ଷତିପୂରଣ ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପୋଙ୍ଗଲୀ ଗ୍ରାମର ଚାଷୀ ରାଇସିଂ ହିକକାଙ୍କ ଗୋଟିଏ ଏକର ଚାଷ ଜମିରେ ପ୍ରାୟ ୩୦ ପ୍ୟାକେଟରୁ ଉର୍ଦ୍ଧ ଧାନ ଅମଳ ହେବାର ଆଶା ରହିଥିଲା। ହେଲେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ତାଙ୍କ ଚାଷ ଜମିରେ ଥିବା ସମସ୍ତ ଧାନ ଫସଲ ନଷ୍ଟ ହୋଇଯାଇଛି। ଯେଉଁ ଜମିରୁ ପରିବାରର ବର୍ଷକର ଆହାର ଓ ଆର୍ଥିକ ସମ୍ବଳ ମିଳିବାର ଆଶା ଥିଲା, ସେହି ଜମି ଏବେ ତାଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଫସଲ ନଷ୍ଟ ହେବା ପରେ ରାଇସିଂ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ କ୍ଷୟକ୍ଷତିର ଆକଳନ କରି ଉଚିତ କ୍ଷତିପୂରଣ ଦେବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

ସେହିପରି ଧାମୁଣିପଙ୍ଗା ପଞ୍ଚାୟତ କତାଗୁଡ଼ା ଗ୍ରାମର ଚାଷୀ ଲେଲି କନ୍ଧପାଣିଙ୍କ ୨ ଏକର ଏବଂ ପୁନିଆ କନ୍ଧପାଣିଙ୍କ ୨ ଏକର ଚାଷ ଜମିର ଧାନ ଫସଲ ମଧ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି। ଏକର ଏକର ଜମିରେ ଚାଷ କରି ପରିବାର ପ୍ରତିପୋଷଣ ଆଶା ରଖିଥିବା ଏହି ଚାଷୀମାନେ ଏବେ ଫସଲ ହରାଇ ଅସହାୟ ହୋଇପଡ଼ିଛନ୍ତି। ଚାଷୀଙ୍କ କହିବା ଅନୁଯାୟୀ, ଧାନ ଅମଳ ସମୟରେ ବାତ୍ୟାର ପ୍ରଭାବ ପଡ଼ିବାରୁ ବର୍ଷକର ପରିଶ୍ରମ ଓ ଖର୍ଚ୍ଚ ବ୍ୟର୍ଥ ହୋଇଯାଇଛି। ଏଭଳି ସ୍ଥିତିରେ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷ ଜମିର ସରଜମିନ ତଦନ୍ତ କରି କ୍ଷୟକ୍ଷତି ଆକଳନ କରିବା ସହ ଯୋଗ୍ୟ ଚାଷୀଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ନଚେତ୍ ଫସଲ ହରାଇଥିବା ଚାଷୀଙ୍କ ପାଇଁ ଆଗାମୀ ଦିନରେ ପରିବାର ଚଳାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିବ।