ବାତ୍ୟା ‘ଅକୱାନ’ ପାଇଁ ସତର୍କ ରହିବାକୁ ଓଡ଼ିଶାବାସୀଙ୍କୁ ନବୀନଙ୍କ ଆହ୍ୱାନ

ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରନ୍ତୁ: ନବୀନ

ବିପଦ ସମୟରେ ଲୋକଙ୍କ ପାଖରେ ରହିବାକୁ ବିଜେଡି ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୮/୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକୱାନ’କୁ ନେଇ ଓଡ଼ିଶା ଉପକୂଳରେ ବିପଦ ଆଶଙ୍କା ଦେଖାଦେଇଥିବା ବେଳେ ରାଜ୍ୟବାସୀଙ୍କୁ ସତର୍କ ଓ ସଜାଗ ରହିବାକୁ ନିବେଦନ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ବାତ୍ୟା ସମୟରେ ନିଜ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ପ୍ରଶାସନର ସମସ୍ତ ନିର୍ଦ୍ଦେଶ ମାନିବା ଏବଂ ବିପଦ ମୁକାବିଲାରେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ନବୀନ କହିଛନ୍ତି ଯେ, ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟା ‘ଅକୱାନ’ ସ୍ଥଳଭାଗ ଛୁଇଁବାର ଆଶଙ୍କା ତାଙ୍କୁ ଗଭୀର ଭାବେ ଚିନ୍ତିତ କରିଛି। ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ ଏହି ବାତ୍ୟା ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ପ୍ରଭାବ ପକାଇପାରେ। ତେଣୁ ଏଭଳି ସମୟରେ ସମସ୍ତେ ସତର୍କ ରହିବା ସହ ନିଜ ନିଜର ସୁରକ୍ଷା ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏଥିସହ ବିଜୁ ଜନତା ଦଳର ସମସ୍ତ ନେତା, କର୍ମୀ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ନବୀନ ସ୍ୱତନ୍ତ୍ର ନିବେଦନ କରିଛନ୍ତି। ବିପଦ ସମୟରେ ଦଳୀୟ ନେତା ଓ କର୍ମୀମାନେ ଲୋକଙ୍କ ପାଖରେ ରହିବା ସହ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।