ବାତ୍ୟା ‘ଅକବାନ୍’ ପାଇଁ କୁଆଁରିଆରୁ ଜଳ ନିଷ୍କାସନ

ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ

ଦଶପଲ୍ଲା, ୧୯/୧୧: ସମ୍ଭାବ୍ୟ ବାତ୍ୟା ‘ଅକବାନ୍’ର ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯିବା ପରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାର ଅଂଶସ୍ୱରୂପ, ଆସନ୍ନ ବର୍ଷା ଜଳକୁ ଧାରଣ କରିବା ନିମନ୍ତେ ଜଳଭଣ୍ଡାରଗୁଡ଼ିକୁ ଖାଲି କରାଯାଉଛି । ବୁଧବାର ଦିନ ଦଶପଲ୍ଲାର ପ୍ରମୁଖ କୁଆଁରିଆ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଇଛି । ଜଳସମ୍ପଦ ବିଭାଗର ସୂଚନା ମୁତାବକ, ଜଳଭଣ୍ଡାରରେ ବର୍ତ୍ତମାନ ୭୯.୪୩ ପ୍ରତିଶତ ଜଳ ସଂରକ୍ଷିତ ଥିବାବେଳେ ବିଭାଗୀୟ ନିର୍ଦ୍ଦେଶାନୁସାରେ ଏହାକୁ ୬୫ ପ୍ରତିଶତକୁ ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ବାତ୍ୟା ସମୟରେ ହେବାକୁ ଥିବା ବର୍ଷା ଜଳକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।