ଆଜିର ତାରିଖ ୧୯ ନଭେମ୍ବର ୨୦୨୬
୧. ବିଶ୍ୱ ଶୌଚାଳୟ ଦିବସ (World Toilet Day): ପ୍ରତିବର୍ଷ ନଭେମ୍ବର ୧୯ରେ ଏହି ଦିବସ ପାଳନ କରାଯାଏ। ସ୍ୱଚ୍ଛତା, ସୁରକ୍ଷିତ ଶୌଚାଳୟ ଓ ପରିମଳ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଏହାର ଉଦ୍ଦେଶ୍ୟ। ୨୦୨୬ର ବିଷୟବସ୍ତୁ ହେଉଛି “Safe toilets. Equal futures.”
୨. ଅନ୍ତର୍ଜାତୀୟ ପୁରୁଷ ଦିବସ (International Men’s Day): ପ୍ରତିବର୍ଷ ନଭେମ୍ବର ୧୯ରେ ଏହି ଦିବସ ପାଳନ ହୁଏ। ପୁରୁଷଙ୍କ ସକରାତ୍ମକ ଅବଦାନ, ସ୍ୱାସ୍ଥ୍ୟ, ସୁସ୍ଥ ଜୀବନଶୈଳୀ, ପରିବାର ଓ ସମାଜ ପ୍ରତି ଦାୟିତ୍ୱ ଉପରେ ଏହି ଦିବସ ଗୁରୁତ୍ୱ ଦିଏ।
୩. ବିଶ୍ୱ ଦର୍ଶନ ଦିବସ (World Philosophy Day): ୟୁନେସ୍କୋ ପକ୍ଷରୁ ପ୍ରତିବର୍ଷ ନଭେମ୍ବର ମାସର ତୃତୀୟ ଗୁରୁବାର ଏହି ଦିବସ ପାଳନ କରାଯାଏ। ଦର୍ଶନ ଶାସ୍ତ୍ରର ଗୁରୁତ୍ୱ, ମୁକ୍ତ ଚିନ୍ତନ, ଯୁକ୍ତିସଙ୍ଗତ ବିଚାର ଓ ମାନବୀୟ ମୂଲ୍ୟବୋଧର ପ୍ରସାର ଏହାର ଉଦ୍ଦେଶ୍ୟ। ୨୦୨୬ରେ ଏହା ନଭେମ୍ବର ୧୯ରେ ପଡ଼ୁଛି।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ରାଣୀ ଲକ୍ଷ୍ମୀବାଈ (୧୮୨୮): ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ ୧୯ ନଭେମ୍ବର ୧୮୨୮ରେ ବାରାଣସୀରେ ହୋଇଥିଲା। ତାଙ୍କ ପିଲାଦିନର ନାମ ମଣିକର୍ଣ୍ଣିକା ତାମ୍ବେ ଥିଲା। ୧୮୫୭ର ସ୍ୱାଧୀନତା ସଂଗ୍ରାମରେ ବ୍ରିଟିଶ ଶାସନ ବିରୋଧରେ ତାଙ୍କ ସାହସିକ ନେତୃତ୍ୱ ତାଙ୍କୁ ଭାରତୀୟ ଇତିହାସରେ ଅମର କରିଛି।
୨. ଇନ୍ଦିରା ଗାନ୍ଧୀ (୧୯୧୭): ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ୧୯ ନଭେମ୍ବର ୧୯୧୭ରେ ଆହ୍ଲାବାଦ (ବର୍ତ୍ତମାନର ପ୍ରୟାଗରାଜ)ରେ ହୋଇଥିଲା। ସେ ୧୯୬୬ରୁ ୧୯୭୭ ଏବଂ ପୁଣି ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ଜବାହରଲାଲ ନେହରୁଙ୍କ କନ୍ୟା ଥିଲେ।
୩. କେଶବଚନ୍ଦ୍ର ସେନ (୧୮୩୮): ବିଶିଷ୍ଟ ସମାଜ ସଂସ୍କାରକ ଓ ବ୍ରାହ୍ମ ସମାଜର ନେତା କେଶବଚନ୍ଦ୍ର ସେନଙ୍କ ଜନ୍ମ ୧୯ ନଭେମ୍ବର ୧୮୩୮ରେ କଲିକତାରେ ହୋଇଥିଲା। ଧାର୍ମିକ ଓ ସାମାଜିକ ସଂସ୍କାର ଆନ୍ଦୋଳନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା।
୪. ଦାରା ସିଂହ (୧୯୨୮): ପ୍ରସିଦ୍ଧ ଭାରତୀୟ କୁସ୍ତିଯୋଦ୍ଧା ଓ ଅଭିନେତା ଦାରା ସିଂହଙ୍କ ଜନ୍ମ ୧୯ ନଭେମ୍ବର ୧୯୨୮ରେ ହୋଇଥିଲା। କୁସ୍ତି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବା ପରେ ସେ ଚଳଚ୍ଚିତ୍ର ଓ ଟେଲିଭିଜନ୍ରେ ମଧ୍ୟ ଲୋକପ୍ରିୟତା ହାସଲ କରିଥିଲେ।
୫. ସୁସ୍ମିତା ସେନ୍ (୧୯୭୫): ଅଭିନେତ୍ରୀ ତଥା ମିସ୍ ୟୁନିଭର୍ସ ବିଜେତା ସୁଷ୍ମିତା ସେନ୍ଙ୍କ ଜନ୍ମ ୧୯ ନଭେମ୍ବର ୧୯୭୫ରେ ହାଇଦ୍ରାବାଦରେ ହୋଇଥିଲା। ୧୯୯୪ରେ ସେ ମିସ୍ ୟୁନିଭର୍ସ ମୁକୁଟ ଜିତି ପ୍ରଥମ ଭାରତୀୟ ଭାବେ ଏହି ସଫଳତା ହାସଲ କରିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ତିତୁମୀର (୧୮୩୧): ବ୍ରିଟିଶ ଶାସନ ଓ ଜମିଦାରଙ୍କ ଶୋଷଣ ବିରୋଧରେ ଆନ୍ଦୋଳନ କରିଥିବା ବଙ୍ଗଳାର ସ୍ୱାଧୀନତା ସଂଗ୍ରାମୀ ତିତୁମୀରଙ୍କ ମୃତ୍ୟୁ ୧୯ ନଭେମ୍ବର ୧୮୩୧ରେ ହୋଇଥିଲା। ବାଉଁଶ ଦୁର୍ଗ ନିର୍ମାଣ କରି ବ୍ରିଟିଶ ସେନା ବିରୋଧରେ ପ୍ରତିରୋଧ ପାଇଁ ସେ ଇତିହାସରେ ପରିଚିତ।
୨. ବାଚସ୍ପତି ପାଠକ (୧୯୮୦): ହିନ୍ଦୀ ସାହିତ୍ୟର ବିଶିଷ୍ଟ କଥାକାର ଓ ସମ୍ପାଦକ ବାଚସ୍ପତି ପାଠକଙ୍କ ମୃତ୍ୟୁ ୧୯ ନଭେମ୍ବର ୧୯୮୦ରେ ହୋଇଥିଲା। ‘କାଗଜ କି ଟୋପି’ କାହାଣୀ ପାଇଁ ସେ ବିଶେଷ ଭାବେ ପରିଚିତ ଥିଲେ।
୩. ସାମୁଏଲ ସାହୁ (ବବି) (୨୦୦୦): ଓଡ଼ିଆ ଚଳଚ୍ଚିତ୍ର ଓ ନାଟକ ଜଗତର ପରିଚିତ କଳାକାର ସାମୁଏଲ ସାହୁ, ଯିଏ ବବି ନାମରେ ଜଣାଶୁଣା, ୧୯ ନଭେମ୍ବର ୨୦୦୦ରେ କଟକଠାରେ ପରଲୋକ ଗମନ କରିଥିଲେ। ଓଡ଼ିଆ ନାଟକ, ରେଡିଓ ନାଟକ ଓ ସିନେମାରେ ତାଙ୍କର ଅବଦାନ ରହିଥିଲା।
୪. ଏମ୍.ଏନ୍. ନମ୍ବିଆର (୨୦୦୮): ତାମିଲ୍ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମନ୍ନଜେରି ନାରାୟଣନ୍ ନମ୍ବିଆରଙ୍କ ମୃତ୍ୟୁ ୧୯ ନଭେମ୍ବର ୨୦୦୮ରେ ଚେନ୍ନାଇଠାରେ ହୋଇଥିଲା। ନିଜର ଖଳନାୟକ ଓ ଚରିତ୍ର ଅଭିନୟ ପାଇଁ ସେ ଦର୍ଶକଙ୍କ ମଧ୍ୟରେ ପରିଚିତ ଥିଲେ। ସେ ଏକ ହଜାରରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
୫. ଆର୍.କେ. ତ୍ରିବେଦୀ (୨୦୧୫): ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ତଥା ଗୁଜରାଟର ପୂର୍ବତନ ରାଜ୍ୟପାଳ ରାମକୃଷ୍ଣ ତ୍ରିବେଦୀଙ୍କ ମୃତ୍ୟୁ ୧୯ ନଭେମ୍ବର ୨୦୧୫ରେ ହୋଇଥିଲା। ସେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ୧୯୮୬ରୁ ୧୯୯୦ ପର୍ଯ୍ୟନ୍ତ ଗୁଜରାଟର ରାଜ୍ୟପାଳ ଥିଲେ। ତାଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଉପରେ:-
୧୭୯୪ — ଆମେରିକା ଓ ବ୍ରିଟେନ୍ ମଧ୍ୟରେ ଜେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୮୬୩ – ଆମେରିକାର ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ପେନ୍ସିଲଭାନିଆର ଗେଟିସବର୍ଗଠାରେ ଏକ ସ୍ମାରକ ସମାରୋହରେ ଐତିହାସିକ ଭାଷଣ ଦେଇଥିଲେ। ଏହି ଭାଷଣ ଗଣତନ୍ତ୍ର ଓ ସମାନତାର ମୂଲ୍ୟବୋଧ ପାଇଁ ପ୍ରସିଦ୍ଧ।
୧୯୧୯ — ଆମେରିକାର ସିନେଟ୍ ଭର୍ସାଇ ଚୁକ୍ତିକୁ ଅନୁମୋଦନ କରିବାକୁ ମନା କରିଥିଲା
୧୯୪୨ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ୍ ସେନା ଷ୍ଟାଲିନଗ୍ରାଡ୍ ଅଞ୍ଚଳରେ ଜର୍ମାନ ସେନା ବିରୋଧରେ ‘ଅପରେସନ୍ ୟୁରାନସ୍’ ଆରମ୍ଭ କରିଥିଲା। ଏହା ଯୁଦ୍ଧର ଗତିପଥ ବଦଳାଇବାରେ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା।
୧୯୫୯ — ଫୋର୍ଡ କମ୍ପାନୀ ନିଜର ଏଡ୍ସେଲ୍ କାର୍ ଉତ୍ପାଦନ ବନ୍ଦ କରିବା ଘୋଷଣା କରିଥିଲା।
୧୯୬୯ – ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଆପୋଲୋ-୧୨ ମିଶନ୍ର ମହାକାଶଚାରୀ ଚାର୍ଲ୍ସ କନରାଡ୍ ଓ ଆଲାନ୍ ବିନ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ। ଏହା ମାନବର ଦ୍ୱିତୀୟ ସଫଳ ଚନ୍ଦ୍ର ଅବତରଣ ଥିଲା।
୧୯୭୭ – ଇଜିପ୍ଟର ରାଷ୍ଟ୍ରପତି ଅନୱାର ସାଦତ୍ ଇସ୍ରାଏଲ୍ ଗସ୍ତ କରିଥିଲେ। ଇସ୍ରାଏଲ୍ ଗସ୍ତ କରିଥିବା ସେ ପ୍ରଥମ ଆରବ ରାଷ୍ଟ୍ରମୁଖ୍ୟ ଥିଲେ।
୧୯୮୫ – ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ଓ ସୋଭିଏତ୍ ସଂଘର ନେତା ମିଖାଇଲ୍ ଗୋର୍ବାଚେଭ୍ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ପ୍ରଥମ ଶିଖର ବୈଠକ କରିଥିଲେ। ଶୀତଳ ଯୁଦ୍ଧର ଉତ୍ତେଜନା କମାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।
୧୯୯୯ – ଚୀନ୍ ନିଜର ପ୍ରଥମ ପରୀକ୍ଷାମୂଳକ ଶେନ୍ଝୋଉ-୧ ମହାକାଶଯାନ ଉତ୍କ୍ଷେପଣ କରିଥିଲା। ଏହା ଚୀନ୍ର ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।