ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ଗାଁର ପ୍ରାର୍ଥୀ
ପୂର୍ବରୁ ଜଣେ ମହିଳା ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଲଢ଼ି ବିଜୟୀ ହୋଇଛନ୍ତି
ପାତ୍ରପୁର, ୨୧/୧୧ (ସୁରେଶ କୁମାର ପଟ୍ଟନାୟକ): ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଦ୍ୱିତୀୟ ରାଜ୍ୟରେ ଭୋଟଦାନ ଓ ସରକାରୀ ସୁବିଧା ହାତେଇବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ଆନ୍ଧ୍ରପ୍ରଦେଶରେ ଗତ ୫ ତାରିଖରେ ଅନୁଷ୍ଠିତ ମଣ୍ଡଳ ପରିଷଦ ଓ ସମିତି ସଭ୍ୟ ନିର୍ବାଚନରେ ପାତ୍ରପୁର ବ୍ଲକର ସୀମାନ୍ତ ଗ୍ରାମଗୁଡ଼ିକର ଶତାଧିକ ଓଡ଼ିଶାବାସୀ ମତଦାନ କରିଥିବା ବେଳେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଗୁଡ଼ିଖଳା ଗ୍ରାମର ଶଙ୍କର ସବର ବୁଡ଼ାରସିଙ୍ଗି ପଞ୍ଚାୟତର ୱାର୍ଡ ସଭ୍ୟ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି। ପ୍ରାୟ ୨୦ ବର୍ଷ ପରେ ପୁଣି ଜଣେ ଓଡ଼ିଶାବାସୀ ଆନ୍ଧ୍ର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହା ସୀମାନ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ଜଣେ ମହିଳା ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଲଢ଼ି ବିଜୟୀ ହୋଇଥିବା ଜଣାପଡ଼ିଛି।
ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତର ଗୁଡ଼ିଖଳା ଗ୍ରାମର ୩୬ଟି ପରିବାର ମଧ୍ୟରୁ ୩୨ଟି ପରିବାରକୁ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟା ସହାୟତା ବାବଦରେ ୫୦ କିଲୋଗ୍ରାମ ଚାଉଳ ଓ ୨୫୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା। ତଥାପି ଗ୍ରାମର ୨୫ରୁ ଊର୍ଦ୍ଧ୍ୱ ଲୋକ ଆନ୍ଧ୍ରର ବୁଡ଼ାରସିଙ୍ଗି ବୁଥ୍ରେ ଭୋଟ ଦେଇଥିବା ଜଣାପଡ଼ିଛି।
ସେହିପରି ତୁମ୍ବା ପଞ୍ଚାୟତର କୁଲାଡ଼ି, ସାତପୁରୀ ଓ ବାବନାସାହି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଲୋକ ଆନ୍ଧ୍ରର ସାନକ୍ରିଷ୍ଣା ବୁଥ୍ରେ ଭୋଟ ଦେଇଥିବା ବେଳେ ଡାବୁଥଳି ଗ୍ରାମର କେତେକ ପରିବାର କୁରୁଡ଼ାଳରେ ମତଦାନ କରିଥିଲେ। ଅନ୍ୟପକ୍ଷରେ ବି.ନୂଆଗାଁ ପଞ୍ଚାୟତର ଗୁଡ଼ିପଦର ସମେତ ଆଖପାଖ ଗ୍ରାମର ଲୋକେ ଉଭୟ ରାଜ୍ୟର ସରକାରୀ ସୁବିଧା ପାଇବା ସହ ଦୁଇ ରାଜ୍ୟର ନିର୍ବାଚନରେ ଭୋଟ ଦେଉଥିବା ଅଭିଯୋଗ ରହିଛି। ରାସନ କାର୍ଡ ସର୍ଭେରେ କେତେକଙ୍କ ନାମ ଓଡ଼ିଶା ତାଲିକାରୁ ବାଦ୍ ପଡ଼ିବାରୁ ରାସନ ଚାଉଳ ବନ୍ଦ ହୋଇଥିବା ମଧ୍ୟ ଏହାର ଏକ କାରଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।ପୂର୍ବ ନିର୍ବାଚନରେ ଗୁଡ଼ିଖଳା ଗ୍ରାମବାସୀଙ୍କୁ ଆନ୍ଧ୍ରରେ ଭୋଟଦାନରୁ ନିବୃତ୍ତ ରଖିବାରେ ପ୍ରଶାସନ ସଫଳ ହୋଇଥିଲେ ମଧ୍ୟ ଏଥର ସେହି ଉଦ୍ୟମ ସଫଳ ହୋଇନ ଥିଲା। ସୀମାନ୍ତ ଗ୍ରାମଗୁଡ଼ିକରେ ଦୁଇ ରାଜ୍ୟର ଭୋଟର ତାଲିକା, ରାସନ କାର୍ଡ ଓ ସରକାରୀ ଯୋଜନାକୁ ନେଇ ରହିଥିବା ଏହି ଜଟିଳ ସ୍ଥିତିର ସମାଧାନ ପାଇଁ ଉଭୟ ରାଜ୍ୟର ପ୍ରଶାସନିକ ସମନ୍ୱୟ ଜରୁରୀ ହୋଇପଡ଼ିଛି।