ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ଜଳସମ୍ପଦ ପ୍ରମୁଖ ସଚିବ
ସ୍ଥାୟୀ ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ସମୀକ୍ଷା
ପାତ୍ରପୁର, ୨୧/୧୧ (ସୁରେଶ କୁମାର ପଟ୍ଟନାୟକ): ବାତ୍ୟା ‘ଅର୍ଣ୍ଣବ’ ଓ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀବନ୍ଧ, କେନାଲ ଓ ଜଳସେଚନ ପ୍ରକଳ୍ପରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା। ତାଙ୍କ ନେତୃତ୍ୱରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଏକ ଟିମ୍ ବାହୁଦା ଓ ବଗି ନଦୀ ସମେତ ଘଟକେଶ୍ୱର ଏବଂ ବାଘଲଟି ମାଧ୍ୟମ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ଏହି ଟିମ୍ରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ ବିଘ୍ନରାଜ ପୁରୋହିତ, ଋଷିକୁଲ୍ୟା ଓ ବଂଶଧାରା ଅବବାହିକାର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ, ଚିକିଟି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକ, ବାହୁଦା ଜଳସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀପକ କୁମାର ସାହୁ ଓ ପାତ୍ରପୁର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଜଗଦୀଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ପରିଦର୍ଶନ ସମୟରେ ବନ୍ୟା ଯୋଗୁଁ ନଦୀବନ୍ଧର ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷତି, ଜଳଭଣ୍ଡାରର ସୁରକ୍ଷା, ଜଳ ପରିଚାଳନା ଓ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରିଥିଲେ। ବିଶେଷ କରି ବାତ୍ୟା ଓ ବନ୍ୟାରେ ବାହୁଦା ଓ ବଗି ନଦୀର ନଦୀବନ୍ଧ ସହିତ ବିଭିନ୍ନ କେନାଲ ଓ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାରୁ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି। ଏହାର ସ୍ଥାୟୀ ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ମଧ୍ୟ ସମୀକ୍ଷା ହୋଇଥିଲା।
ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକରେ ଅସ୍ଥାୟୀ ମରାମତି କାର୍ଯ୍ୟ ଚାଲୁ ରହିଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ ସୂଚନା ଦେଇଥିଲେ।