ଚାଷୀ ଆନ୍ଦୋଳନ କରୁଥିବା ବେଳେ ସରକାର ନିଜ ପିଠି ନିଜେ ଥାପୁଡ଼େଉଛନ୍ତି : ବିଜେଡି
ଛତିଶଗଡ଼ରେ ସବୁ ଉତ୍ପାଦିତ ଧାନ ସଂଗ୍ରହ ହେଉଥିବା ବେଳେ ଓଡ଼ିଶାରେ ଉତ୍ପାଦନର ୪୦ ପ୍ରତିଶତ କାହିଁକି ?
ଟୋକନ ପାଇ ମଧ୍ୟ ଚାଷୀ ଧାନ ବିକି୍ର କରିନପାରିବା ଦୁର୍ଭାଗ୍ୟଜନକ
ଭୁବନେଶ୍ୱର, ୨୪/୧୧: ଆଜି ବିଜେପି ପକ୍ଷରୁ ଆୟୋଜିତ ପ୍ରେସମିଟ୍ରେ ଧାନ ସଂଗ୍ରହ ଏବଂ କୃଷକ କଲ୍ୟାଣ ନେଇ ଯେଉଁ ଆତ୍ମପ୍ରଶଂସା କରାଯାଇଛି, ତାହା ଓଡ଼ିଶାର ଚାଷୀଙ୍କ ଦୈନନ୍ଦିନ ଦୁର୍ଦ୍ଦଶାକୁ ଲୁଚାଇବା ପାଇଁ ଏକ ବାହାନା । ରାଜ୍ୟର ଲକ୍ଷ ଲକ୍ଷ କୃଷକ ଧାନ ବିକିବା ପାଇଁ ହଇରାଣ ହୋଇ ସପ୍ତାହ ସପ୍ତାହ ଧରି ମଣ୍ଡିରେ ଅପେକ୍ଷା କରୁଛନ୍ତି । ନିଜ ପରିଶ୍ରମର ନ୍ୟାୟସଙ୍ଗତ ମୂଲ୍ୟ ପାଇବାକୁ ରାସ୍ତାରେ ସଂଘର୍ଷ କରୁଥିବା ବେଳେ ବିଜେପି ନେତାମାନେ ନିଜ ପିଠି ନିଜେ ଥାପୁଡ଼େଇବା ସହ ସରକାରଙ୍କୁ ସାର୍ଟିଫିକେଟ ଦେବା, କୃଷକଙ୍କ କ୍ଷତରେ ଲୁଣ ଛିଞ୍ଚିବା ସଦୃଶ ବୋଲି ବିଜେଡି କହିଛି ।
ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ବିଜେପି ସରକାରର ପ୍ରତିଶ୍ରୁତି ଅନେକ, କିନ୍ତୁ ଫଳ ଶୂନ୍ୟ । ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ, କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ, ସ୍ୱଚ୍ଛ ଧାନ ସଂଗ୍ରହ ବ୍ୟବସ୍ଥା ଏବଂ ଦଲାଲ ମୁକ୍ତ ମଣ୍ଡିର ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ୨ ବର୍ଷର ଶାସନ ପରେ ମଧ୍ୟ ସ୍ଥିତି ଏପରି ହୋଇଛି ଯେ, ଚାଷୀଙ୍କୁ ଟୋକନ ମିଳୁଛି କିନ୍ତୁ ଧାନ ବିକ୍ରି ହେଉନାହିଁ । ମଣ୍ଡିରେ ରାତି ରାତି ଉଜାଗର ରହିବାକୁ ପଡ଼ୁଛି ଏବଂ ଅନେକ ସ୍ଥାନରେ ଧାନ ଉଠାଣରେ ଅସ୍ୱାଭାବିକ ବିଳମ୍ୱ ଦେଖାଯାଇଛି । ପଞ୍ଜିକରଣରେ ଚାଷୀର ବଂଶାବଳୀ, ଏଗି୍ରଷ୍ଟେକ୍ ଭଳି ଜଟିଳ ସର୍ତ୍ତାବଳୀ ମାଗି ଚାଷୀକୁ ଧାନ ଚାଷରୁ ନିରୁତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ବିଧାନସଭାରେ ବିଜେଡି ବାରମ୍ୱାର ଧାନ ସଂଗ୍ରହରେ ଅବ୍ୟବସ୍ଥା ଏବଂ କୃଷକଙ୍କ ଶୋଷଣ ପ୍ରସଙ୍ଗ ଉଠାଇ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବାକୁ ଚେଷ୍ଟା କରୁଛି । ବାରମ୍ବାର ଦାବି ସତ୍ତ୍ୱେ ଏଫସିଆଇ ରାଜ୍ୟରୁ ଚାଉଳ ନ ଉଠାଇବା, ବିଜେପି ସରକାରଙ୍କ ଅସହାୟତାକୁ ପ୍ରକାଶ କରୁଛି ।
ଧାନ ସଂଗ୍ରହ ପଦ୍ଧତିକୁ ଏଭଳି ଜଟିଳ କରି ନିଜର ସଫଳତା ପ୍ରଚାର କରୁଛି ବିଜେପି ସରକାର । କିନ୍ତୁ ବାସ୍ତବତା ହେଉଛି, ଏହି ଅପରିଣାମଦର୍ଶୀ ସରକାର ଧାନ ସଂଗ୍ରହ ବ୍ୟବସ୍ଥାରେ ଚାଷୀଙ୍କ ଠାରୁ ଠିକ୍ ସମୟରେ ଧାନ କିଣିପାରୁ ନାହିଁ ଏବଂ ଧାନକିଣା ପ୍ରକ୍ରିୟାରେ ସ୍ୱଚ୍ଛତା ରଖିପାରୁ ନାହିଁ । ଏହି କାରଣରୁ ସରକାରଙ୍କୁ ଟୋକନ ଅବଧି ବଢ଼ାଇ ନିଜ ନିଷ୍ପତ୍ତିରେ ବାରମ୍ବାର ପରିବର୍ତ୍ତନ କରିବାକୁ ପଡୁଛି । ସାରା ରାଜ୍ୟରେ କୃଷକ ଅସନ୍ତୋଷ ଆନେ୍ଦାଳନର ରୂପ ନେଇଛି । ନିର୍ବାଚନ ପୂର୍ବରୁ ବିଜେପି କହିଥିଲା କଟନୀ-ଛଟନୀର ହେବ ନାହିଁ, କିନ୍ତୁ କଟନୀ-ଛଟନୀ ଦିନକୁ ଦିନ ବୃଦ୍ଧି ପାଉଛି । ଖୋଦ୍ ଯୋଗାଣ ମନ୍ତ୍ରୀ ଗତବର୍ଷ ମିଲରମାନଙ୍କୁ ଅଧିକ କଟନୀ-ଛଟନୀ ନ କରିବାକୁ କହିଥିଲେ । ଅନ୍ୟ ଜଣେ ମନ୍ତ୍ରୀ କହିଥିଲେ ଯେ, ମିଲର ଓ ଚାଷୀ ଆପୋଷ ବୁଝାମଣାରେ କଟନୀ ଛଟନୀ କରୁଛନ୍ତି । ମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି ଡବଲ ଇଞ୍ଜିନ ସରକାରଙ୍କ ଚାଷୀମାରଣ ନୀତିକୁ ପଦାରେ ପକାଇଛି ।
ଶ୍ରୀ ଜେନା ଆହୁରି କହିଥିଲେ ଯେ, ଚାଷୀ ଆତ୍ମହତ୍ୟା ଅତ୍ୟନ୍ତ ଦୁଃଖଦାୟକ । ବିଜେପି ସରକାରର ୨ ବର୍ଷର ଶାସନ କାଳରେ ଫସଲ ନଷ୍ଟ, ଋଣ ବୋଝ ଏବଂ ଧାନ ବିକ୍ରିରେ ସମସ୍ୟା ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି । ଜାତୀୟ ମାନବାଧିକାର ଆୟୋଗ ଏହି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ । ଜଣେ ଅନ୍ନଦାତାଙ୍କ ମୃତୁ୍ୟ କେବଳ ଏକ ସଂଖ୍ୟା ନୁହେଁ, ଏହା ସରକାରୀ ବିଫଳତା ଓ ଅସମ୍ୱେଦନଶୀଳତାର ପରିଚୟ । ଛତିଶଗଡ଼ରେ ଟାର୍ଗେଟର ଦୁଇ ଗୁଣ ଧାନ ସଂଗ୍ରହ ହୋଇପାରୁଥିବା ବେଳେ ଓଡ଼ିଶାର ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି କାହିଁକି ? ୨୦ ଜଣ ବିଜେପି ସାଂସଦ ଓ ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣି ଭୁଲ୍ କରିଛନ୍ତି କି ରାଜ୍ୟର ଚାଷୀକୂଳ, ଏହାର ଉତ୍ତର ବିଜେପିକୁ ଦେବାକୁ ପଡ଼ିବ । ଧାନ ସଂଗ୍ରହରେ ଅବ୍ୟବସ୍ଥା, କୃଷକଙ୍କ ଆୟ ହ୍ରାସ ଏବଂ କଟନୀ-ଛଟନୀ ଭଳି ସମସ୍ୟା ଆଜି ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଉଛି । ଅଢ଼େଇ ବର୍ଷର ଶାସନ ପରେ ମଧ୍ୟ ଯଦି କଟନୀ-ଛଟନୀ ବନ୍ଦ ହେଉନାହିଁ, ଚାଷୀ ଆତ୍ମହତ୍ୟା କରୁଛି, ଚାଷୀ ନିଜ ପ୍ରାପ୍ୟ ପାଇଁ ଆନେ୍ଦାଳନ କରିବାକୁ ପଡୁଛି, ତେବେ ଏହା କି ପ୍ରକାରର ସଫଳତା ? ବିଜୁ ଜନତା ଦଳ ସଦାସର୍ବଦା ଓଡ଼ିଶାର ଅନ୍ନଦାତାଙ୍କ ସହିତ ରହିଛି ଏବଂ କୃଷକଙ୍କ ସ୍ୱାର୍ଥ ବିରୋଧୀ ପ୍ରତ୍ୟେକ ନିଷ୍ପତ୍ତି ବିରୋଧରେ ସଂଗ୍ରାମ ଜାରି ରଖିବ ।