ଏମ୍ଓୟୁରେ ସୀମିତ ବିଜେପି ସରକାରର ପୁଞ୍ଜିନିବେଶ: ବିଜେଡି

ବିଜେଡି ସରକାର ଅମଳରେ ଜାତୀୟ ହାରଠୁ ଢେର ଆଗରେ ଥିଲା ଓଡ଼ିଶାରେ ପୁଞ୍ଜିନିବେଶ ହାର

ରାଜ୍ୟରେ କେତେ ପୁଞ୍ଜିନିବେଶ ହୋଇଛି ଶ୍ୱେତପତ୍ର ଜାରି କରନ୍ତୁ ସରକାର

ଭୁବନେଶ୍ୱର, ୨୪/୧୧: ରାଜ୍ୟରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦେଇଥିବା ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ପାରାଦୀପରେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ରାଜ୍ୟରେ ମୋଟ ନିବେଶ ପ୍ରସ୍ତାବ ପ୍ରାୟ ୨୩.୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । କିନ୍ତୁ ଏହା ମଧ୍ୟରୁ କେବଳ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ କାର୍ଯ୍ୟକାରୀ ପର୍ଯ୍ୟାୟରେ ପହଞ୍ଚିଥିବା କହିଛି ବିଜେଡି ।

ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଏହା ହେଉଛି ଡବଲ ଇଞ୍ଜିନ ସରକାରର ନିବେଶ ନୀତିର ସବୁଠାରୁ ବଡ଼ ବିଫଳତାର ପ୍ରମାଣ । ଲକ୍ଷ ଲକ୍ଷ କୋଟିର ଏମ୍ଓୟୁ ଓ ଇଣ୍ଟେଣ୍ଟ ଘୋଷଣା କରି ପ୍ରଚାର କରିବା ଏବଂ ସେଗୁଡ଼ିକୁ ବାସ୍ତବ ନିବେଶ ଓ କାରଖାନାରେ ପରିଣତ କରିବା ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟରେ ନିବେଶ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଦାବି କରୁଛନ୍ତି, ତାହାର ଏକ ଛୋଟ ଅଂଶ ମାତ୍ର କାର୍ଯ୍ୟକାରୀ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ଯେ, ଏମ୍ଓୟୁକୁ ବାସ୍ତବ ନିବେଶରେ ପରିଣତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାକୁ ପୁଞ୍ଜି ନିବେଶର ସୁଅ ଛୁଟୁଥିଲା । ବିଜେଡି ସରକାର ସମୟରେ ଓଡ଼ିଶାରେ ନିବେଶ ହାର ଜାତୀୟ ନିବେଶ ହାରଠୁ ଢେର ଅଧିକ ଥିଲା । ନୀତି ଆୟୋଗ ଓ ଆରବିଆଇ ଓଡ଼ିଶାର ନିବେଶ ହାରକୁ ପ୍ରଶଂସା କରିଥିଲେ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ସରକାର କେବଳ ଘୋଷଣା ଓ ଫଟୋ ସେସନ୍ରେ ବ୍ୟସ୍ତ । ବିଦେଶ ଯାତ୍ରା, ଇନଭେଷ୍ଟସର୍୍ ମିଟ୍ ଓ ଏମ୍ଓୟୁ ସ୍ୱାକ୍ଷର କରି ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ସରକାର । ରାଜ୍ୟରେ କାରଖାନା ପ୍ରତିଷ୍ଠା ହେଉନାହିଁ, ନିଯୁକ୍ତି ନ ପାଇ ଯୁବକମାନେ ରାଜ୍ୟ ଛାଡ଼ି ବାହାରକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ବିଦେଶୀ ନିବେଶ ନାମମାତ୍ର ରହିଛି । ଅନେକ ପ୍ରକଳ୍ପ ଓଡ଼ିଶାରୁ ମୁହଁ ଫେରାଇ ଚାଲିଯାଉଛନ୍ତି । ଡବଲ ଇଞ୍ଜିନ ସରକାର ଅର୍ଥନୈତିକ ଦିଗରୁ ସମ୍ପୂର୍ଣ୍ଣ ବିଫଳ ହୋଇଛି । ବିଜେପି ସରକାର କେବଳ ପ୍ରଚାର ସର୍ବସ୍ୱ ସରକାର, ବିକାଶମୁଖୀ ସରକାର ନୁହେଁ । ଓଡ଼ିଶାର ଯୁବପିଢ଼ୀ ଚାକିରି ଚାହୁଁଥିବା ବେଳେ ସରକାର ଏମ୍ଓୟୁର ଫଟୋ ଦେଖାଉଛନ୍ତି । ସରକାର ତୁରନ୍ତ ପ୍ରକଳ୍ପ ଭିତ୍ତିକ ସମ୍ପୂର୍ଣ୍ଣ ତଥ୍ୟ ସହ ଶ୍ୱେତପତ୍ର ପ୍ରକାଶ କରନ୍ତୁ । କେଉଁ ଏମ୍ଓୟୁ କେଉଁ ପର୍ଯ୍ୟାୟରେ ଅଛି, କେତେ ପୁଞ୍ଜି ଆସିଛି, କେତେ ଲୋକ କାମ ପାଇଛନ୍ତି ଏବଂ କେଉଁ ପ୍ରକଳ୍ପ ବାହାରି ଯାଇଛି ତାହାର ତଥ୍ୟ ଦିଅନ୍ତୁ ସରକାର । ନିବେଶ ନେଇ ଡବଲ ଇଞ୍ଜିନ ସରକାର ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କ ସହ ଯେଉଁ ପ୍ରତାରଣା କରୁଛନ୍ତି, ତାହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ ।