ଓଡ଼ିଶାର ଆଇନଜୀବୀଙ୍କ କଲ୍ୟାଣ ଓ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟସ୍ତରୀୟ ବୈଠକ ଡାକିଲା ଭୁବନେଶ୍ୱର ବାର୍ ଆସୋସିଏସନ୍
ରାଜ୍ୟର ଆଇନଜୀବୀଙ୍କ କଲ୍ୟାଣ, ସୁରକ୍ଷା, ସମ୍ମାନ ଓ ସାମଗ୍ରିକ ଉନ୍ନତି ସମ୍ପର୍କିତ ଆଲୋଚନା ହେବ
ଭୁବନେଶ୍ୱର, ୨୭/୧୧: ଓଡ଼ିଶାର ସମସ୍ତ ବାର୍ ଆସୋସିଏସନ୍ର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ଭୁବନେଶ୍ୱର ବାର୍ ଆସୋସିଏସନ୍ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସମାବେଶ ଆସନ୍ତା ୨୭ ନଭେମ୍ବର ୨୦୨୬, ଶୁକ୍ରବାର ଦିନ ସକାଳ ୧୧ଟାରେ ଭୁବନେଶ୍ୱର ବାର୍ ଆସୋସିଏସନ୍ର ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଉଛି।
ରାଜ୍ୟର ସମସ୍ତ ଆଇନଜୀବୀଙ୍କ କଲ୍ୟାଣ, ସୁରକ୍ଷା, ସମ୍ମାନ ଓ ସାମଗ୍ରିକ ଉନ୍ନତି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯିବ।
ବୈଠକରେ ଆଇନଜୀବୀ ଓ ସେମାନଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି, ଗୁରୁତର ରୋଗ ଓ ବଡ଼ ଧରଣର ଚିକିତ୍ସା ପାଇଁ ଆର୍ଥିକ ସହାୟତା, ଆଇନଜୀବୀ କଲ୍ୟାଣ ଟ୍ରଷ୍ଟ ପାଣ୍ଠିର ପରିମାଣ ଯଥେଷ୍ଟ ବୃଦ୍ଧି, ଆଇନଜୀବୀ ସୁରକ୍ଷା ଆଇନ (Advocates Protection Act) ପ୍ରଣୟନ ଓ କାର୍ଯ୍ୟକାରିତା ସମେତ ଆଇନଜୀବୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମତବିନିମୟ ହେବ।
ଏହି ଗୁରୁତ୍ୱପୂର୍ଣ୍ଣ ସମାବେଶରେ ଓଡ଼ିଶାର ସମସ୍ତ ବାର୍ ଆସୋସିଏସନ୍ର ସଭାପତି ଓ ସମ୍ପାଦକମାନେ ଯୋଗଦେଇ ଆଇନଜୀବୀ ସମାଜର ସାମୂହିକ ସ୍ୱାର୍ଥ ଓ ଅଧିକାର ସୁରକ୍ଷା ଦିଗରେ ନିଜ ନିଜର ମତାମତ ଓ ପ୍ରସ୍ତାବ ରଖିବାକୁ ଭୁବନେଶ୍ୱର ବାର୍ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି।