‘ରାମାୟଣ’ ଟିମ୍‌କୁ ଭେଟିଲେ ଅମିତ ଶାହ

ଓସ୍କାର ଦୌଡ଼ରେ‌ ‘ରାମାୟଣ’

ନୂଆଦିଲ୍ଲୀ, ୨୬/୧୧: ବଲିଉଡ୍‌ ଫିଲ୍ମ ‘ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ’ ଏବେ ସିନେମା ହଲରେ ରାଜ କରୁଛି। ଫିଲ୍ମଟି ବିଶ୍ୱବ୍ୟାପୀ ବକ୍ସ ଅଫିସ୍‌ରେ ୧୭୦୦ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୦୦ କୋଟି ଟଙ୍କା ଆୟ କରିବାକୁ ଯାଉଛି। ଆଜି ଏହି ଫିଲ୍ମର ଟିମ୍‌କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନୂଆଦିଲ୍ଲୀରେ ହୋଇଥିବା ଏହି ସାକ୍ଷାତକାର ସମୟରେ ସେ ଫିଲ୍ମର ସଫଳତା ପାଇଁ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ସାକ୍ଷାତ ସମୟରେ ଫିଲ୍ମର ପ୍ରଯୋଜକ ନମିତ ମାଲହୋତ୍ରା, ନିର୍ଦ୍ଦେଶକ ନିତେଶ ତିୱାରୀ, ଅଭିନେତା ରଣବୀର କପୁର, ଅଭିନେତ୍ରୀ ସାଇ ପଲ୍ଲବୀ ଏବଂ ସହ-ପ୍ରଯୋଜକ ନୀରଜ ସାଙ୍ଗାଇ ଉପସ୍ଥିତ ଥିଲେ। ଅମିତ ଶାହ ଫିଲ୍ମର ବିଶାଳ ନିର୍ମାଣ ଓ ଭାରତୀୟ ମହାକାବ୍ୟକୁ ପରଦାରେ ଉପସ୍ଥାପନ କରିବାର ପ୍ରୟାସକୁ ପ୍ରଶଂସା କରିଥିଲେ।

ନଭେମ୍ବର ୫ ତାରିଖରେ ଭାରତ ସମେତ ବିଶ୍ୱବ୍ୟାପୀ ରିଲିଜ୍ ହୋଇଥିବା ଏହି ଫିଲ୍ମ ଏବେ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ଏହାର ବିଶ୍ୱବ୍ୟାପୀ ଆୟ ୧୭୦୦ କୋଟି ଟଙ୍କା ଅତିକ୍ରମ କରିସାରିଛି। ଏବେ ଫିଲ୍ମଟି ୨୦୦୦ କୋଟି ଟଙ୍କାର ମାଇଲଖୁଣ୍ଟ ଛୁଇଁବା ଲକ୍ଷ୍ୟରେ ରହିଛି।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ମହାକାବ୍ୟ ଆଧାରିତ ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିଛନ୍ତି। ସେହିପରି ସାଇ ପଲ୍ଲବୀ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ୟଶ ରାବଣ ଭୂମିକାରେ ଥିବା ବେଳେ ରବି ଦୁବେ ଲକ୍ଷ୍ମଣ ଏବଂ ସନ୍ନି ଦେଓଲ ହନୁମାନଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଏହାବ୍ୟତୀତ ଅରୁଣ ଗୋଭିଲ ଦଶରଥଙ୍କ ଭୂମିକାରେ ଏବଂ ଅନ୍ୟାନ୍ୟ ଅଭିନେତା ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି।

ଏହି ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବିଶାଳ ବଜେଟ୍। ଦୁଇଟି ଭାଗରେ ନିର୍ମିତ ହେଉଥିବା ‘ରାମାୟଣ’ର ମୋଟ ବଜେଟ୍ ପ୍ରାୟ ୪୦୦୦ କୋଟି ଟଙ୍କା ବୋଲି ପ୍ରଯୋଜକ ନମିତ ମାଲହୋତ୍ରା ପୂର୍ବରୁ ସୂଚନା ଦେଇଥିଲେ। ଏହାକୁ ଭାରତୀୟ ସିନେମା ଇତିହାସର ସବୁଠାରୁ ବଡ଼ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।

ଏହି ଫିଲ୍ମର ସଙ୍ଗୀତ ପାଇଁ ଏକାଠି କାମ କରିଛନ୍ତି ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରହମାନ ଏବଂ ହଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତକାର ହାନ୍ସ ଜିମର। ଏହାର ଭିଜୁଆଲ୍ ଇଫେକ୍ଟସ୍ ପାଇଁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ କାମ କରାଯାଇଛି। ଓସ୍କାର-୨୦୨୭ ଦୌଡ଼ରେ ମଧ୍ୟ ସାମିଲ ହୋଇଛି ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’। ଏହି ଫିଲ୍ମ ୯୯ତମ ଏକାଡେମୀ ଆୱାର୍ଡସ୍‌ର ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ୍ ବର୍ଗରେ ଟପ୍-୨୦ ତାଲିକାରେ ସ୍ଥାନ ପାଇଛି।