ମୃତ୍ୟୁର ତାଣ୍ଡବ! ତେଲ ଟ୍ୟାଙ୍କର ଓଲଟି ୩୧ ଜୀବନ ନେଲା ନିଆଁ

ଚାହୁଁ ଚାହୁଁ ଜଳିଗଲା ଅନେକ ଗାଡ଼ି

କାଇରୋ, ୨୬/୧୧: ଇଜିପ୍ଟର ରାଜଧାନୀ କାଇରୋରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତା ଉପରେ ତେଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବା ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁରେ ଜଳିଯାଇ ଅତି କମ୍‌ରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ଆହତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଟ୍ୟାଙ୍କର ନିକଟରେ ଯାଉଥିବା ଏକାଧିକ କାର୍‌ ଓ ମୋଟରସାଇକେଲ ମଧ୍ୟ ଜଳି ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ, ନଭେମ୍ବର ୨୫ ତାରିଖ ବୁଧବାର ଇଜିପ୍ଟର ଗିଜା ପ୍ରଦେଶ ଅନ୍ତର୍ଗତ ଅଲ୍‌-ୱାରାକ୍‌ ଅଞ୍ଚଳରେ ଥିବା କାଇରୋ ରିଙ୍ଗ୍‌ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ପେଟ୍ରୋଲିୟମ୍‌ ସାମଗ୍ରୀ ବୋଝେଇ ଏକ ଟ୍ୟାଙ୍କର ରାସ୍ତା ଉପରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏହାପରେ ଟ୍ୟାଙ୍କରରେ ନିଆଁ ଲାଗିବା ସହ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

ରାସ୍ତାରେ ସେହି ସମୟରେ ଅନେକ ଗାଡ଼ି ଯାତାୟାତ କରୁଥିବାରୁ ନିଆଁ ଖୁବ୍‌ଶୀଘ୍ର ଅନ୍ୟ ଗାଡ଼ିଗୁଡ଼ିକୁ ବ୍ୟାପିଯାଇଥିଲା। ଫଳରେ ଅନେକ ଲୋକ ଗାଡ଼ି ଭିତରେ ଫସି ରହିଥିଲେ। କେତେକ ଲୋକ ଗାଡ଼ିରୁ ବାହାରିବା ପୂର୍ବରୁ ନିଆଁରେ ଫସିଯାଇଥିଲେ। ଅଗ୍ନିକାଣ୍ଡରେ ପ୍ରାୟ ୨୭ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁସାରେ, ନିଆଁ ଏତେ ଦ୍ରୁତଗତିରେ ବ୍ୟାପିଥିଲା ଯେ ଗାଡ଼ିରେ ଥିବା ଲୋକଙ୍କୁ ବାହାରିବା ପାଇଁ ମଧ୍ୟ ସୁଯୋଗ ମିଳିନଥିଲା। ଉଦ୍ଧାରକାରୀ ଦଳ ଜଳୁଥିବା ଗାଡ଼ି ଭିତରୁ ଲୋକଙ୍କୁ ବାହାର କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ, ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ। ଉଦ୍ଧାର କାର୍ଯ୍ୟରେ ମୋଟ ୩୯ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା।

ଆହତ ୨୧ ଜଣଙ୍କୁ ନିକଟସ୍ଥ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରାଯାଇଛି। ଇଜିପ୍ଟର ସ୍ୱାସ୍ଥ୍ୟମନ୍ତ୍ରୀ ଖାଲେଦ୍‌ ଅବଦେଲ ଗଫର୍‌ ଘଟଣା ଉପରେ ନଜର ରଖିବା ସହ ନିକଟସ୍ଥ ହସ୍ପିଟାଲଗୁଡ଼ିକୁ ଚିକିତ୍ସା ପାଇଁ ସମସ୍ତ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଗ୍ନିକାଣ୍ଡ ଯୋଗୁଁ ଅନେକ ମୃତଦେହ ଅତ୍ୟଧିକ ଜଳିଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଇଛି। ଏଥିପାଇଁ ମୃତକଙ୍କ ପରିଚୟ ଜାଣିବାକୁ ଡିଏନ୍‌ଏ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ଇଜିପ୍ଟର ସରକାରୀ ଓକିଲ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି। ଏହାସହ ଘଟଣାସ୍ଥଳରେ ଫରେନ୍ସିକ୍‌ ଟିମ୍‌ ଯାଞ୍ଚ କରୁଛି ଏବଂ ଆହତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।

ଏହି ଭୟାବହ ଦୁର୍ଘଟଣାକୁ ନେଇ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ୍‌-ସିସି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ଆହତଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।