ବନ୍ଧୁକ ମୁନରେ ୫ କେଜି ସୁନା ଓ‌ ଦେଢ଼ କୋଟି ଟଙ୍କାର ହୀରା ଲୁଟ

୪ ଜଣଙ୍କୁ ସଟର୍‌ ପକାଇ କାବୁ କଲେ ମାଲିକ ଓ କର୍ମଚାରୀ

ମୟୂରଭଞ୍ଜ, ୨୯/୧୧: ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ସୁନା ଦୋକାନରୁ ବଡ଼ଧରଣର ଲୁଟ୍। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଥିବା ସେନକୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ ଶୋ’ରୁମ୍‌ରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟ୍‌ରେ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଶୋ’ରୁମ୍‌ରେ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରି ଶୋ’ରୁମ୍‌ରୁ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ। ଘଟଣାସ୍ଥଳରୁ ଲୁଟ୍ କରିବା ପରେ ୬ ଜଣ ଦୁର୍ବୃତ୍ତ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ଦୋକାନୀ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ୪ ଜଣ ଲୁଟେରା ଧରାପଡ଼ିଥିଲେ। ସେମାନଙ୍କୁ କାବୁ କରି ପୁଲିସ ଜିମା ଦିଆଯାଇଛି। ଦୁର୍ବୃତ୍ତମାନେ ଫେରାର ମାରୁଥିବା ବେଳେ ୪ ଜଣଙ୍କୁ ସଟର ପକାଇ କାବୁ କରିଥିଲେ କର୍ମଚାରୀ ଓ ମାଲିକ। ତେବେ ଅନ୍ୟ ୩ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ସୂଚନା ମୁତାବକ, ପ୍ରାୟ ୫ କେଜି ସୁନା ଓ ଦେଢ କୋଟି ଟଙ୍କାର ହୀରା ଲୁଟ୍ ହୋଇଥିବା ଅଭିଯୋଗ ରହିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ସେନକୋ ଗୋଲ୍ଡ ଶୋ’ରୁମ୍‌ରେ ଏହି ଲୁଟ୍ ହୋଇଛି, ତାହା ବାରିପଦା ଟାଉନ୍ ଥାନାଠାରୁ ମାତ୍ର ୪୦୦ ମିଟର ଦୂରରେ ଅବସ୍ଥିତ। ଥାନାର ଏତେ ନିକଟରେ ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ପୁଲିସର ସୁରକ୍ଷା ବ୍ୟବସ୍ଥା ଓ ସହରରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।

ବର୍ତ୍ତମାନ ପୁଲିସ ଅଟକ ଥିବା ୪ ଜଣଙ୍କୁ ପଚରାଉଚରା କରିବା ସହ ଫେରାର ଅନ୍ୟ ୨ ଜଣଙ୍କୁ ଧରିବା ଏବଂ ଲୁଟ୍ ହୋଇଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ଉଦ୍ଧାର ପାଇଁ ତଦନ୍ତ ଜାରି ରଖିଛି।