ମନ୍ଦିର ଦର୍ଶନ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ୧୩ ଜୀବନ
ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହାୟତା ଘୋଷଣା
ରାଞ୍ଚି, ୨୯/୧୧: ଝାଡ଼ଖଣ୍ଡରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ରାଞ୍ଚି-ପାଟନା ଜାତୀୟ ରାଜପଥରେ ଏକ ସ୍କର୍ପିଓ ଗାଡ଼ି ଅନ୍ୟ ଏକ ଗାଡ଼ି ସହ ଧକ୍କା ହେବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୪ ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ସମସ୍ତେ ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ରବିବାର ଭୋର ପ୍ରାୟ ୨ଟା ସମୟରେ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ଅନ୍ତର୍ଗତ କୁଜୁ ଥାନା ଅଞ୍ଚଳର ପାଇଙ୍କି ନିକଟରେ ଏହି ଦୁର୍ଘଟଣା ଘଟିଛି। ରାଞ୍ଚି-ପାଟନା ଜାତୀୟ ରାଜପଥ (NH-33) ଦେଇ ଯାଉଥିବା ଏକ ସ୍କର୍ପିଓରେ ମୋଟ ୧୪ ଜଣ ଯାତ୍ରା କରୁଥିଲେ।
ସେମାନେ ବିହାରର ନାଳନ୍ଦା ଜିଲ୍ଲାର ଜଙ୍ଗହାରୋ ଗାଁର ବାସିନ୍ଦା। ଝାଡ଼ଖଣ୍ଡର ପ୍ରସିଦ୍ଧ ରଜରପ୍ପାସ୍ଥିତ ମା’ ଛିନ୍ନମସ୍ତିକା ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଉଥିଲେ। ହେଲେ ମନ୍ଦିରରେ ପହଞ୍ଚିବା ପୂର୍ବରୁ ଘଟିଥିବା ଏହି ଦୁର୍ଘଟଣାରେ ୧୩ ଜଣଙ୍କ ଜୀବନ ଚାଲିଯାଇଛି।
ପ୍ରାଥମିକ ତଦନ୍ତ ଅନୁସାରେ, ଦ୍ରୁତଗତିରେ ଯାଉଥିବା ସ୍କର୍ପିଓଟି ଆଗରେ ଯାଉଥିବା ଅନ୍ୟ ଏକ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଚୂନା ହୋଇଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। କ୍ଷତିଗ୍ରସ୍ତ ଗାଡ଼ିରୁ ଯାତ୍ରୀମାନଙ୍କୁ ବାହାର କରିବା ସହ ଆହତ ବ୍ୟକ୍ତିଙ୍କୁ ରାମଗଡ଼ ସଦର ହସ୍ପିଟାଲକୁ ପଠାଯାଇଥିଲା। ହସ୍ପିଟାଲରେ ୧୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି।
ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।