ରନୱେରେ ଲ୍ୟାଣ୍ଡିଂ ବେଳେ ଭୂକମ୍ପ

ଦୀର୍ଘ ସମୟ ଧରି ଆକାଶରେ ଘୂରି ବୁଲିଲା ବିମାନ

ଲସ୍ ଆଞ୍ଜେଲସ୍, ୨୯/୧୧: ଆମେରିକାର କାଲିଫର୍ଣ୍ଣିଆରେ ଶନିବାର ସକାଳେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ୫.୦ ତୀବ୍ରତାର ଏହି ଭୂମିକମ୍ପରେ ସମଗ୍ର ଦକ୍ଷିଣ କାଲିଫର୍ଣ୍ଣିଆ ଅଞ୍ଚଳ ଥରି ଉଠିଥିବା ବେଳେ ଏହାର ପ୍ରଭାବ ବିମାନ ଚଳାଚଳ ଉପରେ ମଧ୍ୟ ପଡ଼ିଛି। ଭୂମିକମ୍ପ ଯୋଗୁଁ ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବା ଡେଲ୍ଟା ଏୟାରଲାଇନ୍ସର ଏକ ବିମାନକୁ ଶେଷ ମୁହୂର୍ତ୍ତରେ ଅବତରଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ବିମାନଟି ଅବତରଣ ନକରି ଆକାଶରେ ଚକ୍କର କାଟିଥିଲା।

ସୂଚନା ଅନୁସାରେ, ଡେଲ୍ଟା ଏୟାରଲାଇନ୍ସର ଫ୍ଲାଇଟ୍ ନମ୍ବର ୧୯୭୨ ଲସ୍ ଆଞ୍ଜେଲସ୍ ବିମାନବନ୍ଦରର ରନୱେ ଆଡ଼କୁ ଅବତରଣ କରିବା ପାଇଁ ଆସୁଥିଲା। ଏହି ସମୟରେ ହଠାତ୍ ଭୂମିକମ୍ପ ହେବାରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ପାଇଲଟଙ୍କୁ ଅବତରଣ ବାତିଲ୍ କରିବାକୁ କହିଥିଲେ। ନିୟନ୍ତ୍ରଣ କକ୍ଷରୁ ପାଇଲଟଙ୍କୁ ‘ଡେଲ୍ଟା ୧୯୭୨, ଗୋ ଆରାଉଣ୍ଡ’ ବୋଲି ନିର୍ଦ୍ଦେଶ ଦିଆଯିବା ସହ ଭୂମିକମ୍ପ ହେଉଥିବା ସୂଚନା ଦିଆଯାଇଥିଲା।

ବିମାନବନ୍ଦରରେ ହୋଇଥିବା ଲାଇଭ୍ ପ୍ରସାରଣରେ ଏହି ଘଟଣା କଏଦ ହୋଇଛି। ଏଥିରେ ବିମାନଟି ରନୱେ ନିକଟକୁ ଆସୁଥିବା ବେଳେ ହଠାତ୍ ଅବତରଣ ବାତିଲ୍ କରି ଉପରକୁ ଉଠିଯାଉଥିବା ଦେଖିବାକୁ ମିଳିଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ୫.୦ ରେକର୍ଡ କରାଯାଇଛି। ଦକ୍ଷିଣ କାଲିଫର୍ଣ୍ଣିଆର ଉପକୂଳବର୍ତ୍ତୀ ଅଞ୍ଚଳରେ, ମ୍ୟାନହାଟନ୍ ବିଚ୍ ସହରଠାରୁ ପ୍ରାୟ ୫ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏହାର କେନ୍ଦ୍ରସ୍ଥଳ ରହିଥିଲା। ଡାଉନ୍‌ଟାଉନ୍ ଲସ୍ ଆଞ୍ଜେଲସ୍‌ର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଅଞ୍ଚଳ ଅବସ୍ଥିତ।

ମୁଖ୍ୟ ଭୂମିକମ୍ପ ପରେ ଏକାଧିକ ଥର ଭୂକମ୍ପର ପରବର୍ତ୍ତୀ ଝଟକା ବା ଆଫ୍ଟରଶକ୍ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ପାସାଡେନାସ୍ଥିତ ଐତିହାସିକ ରୋଜ୍ ବାଉଲ୍ ଷ୍ଟାଡିୟମ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା। ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ (USC) ଓ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ (UCLA) ମଧ୍ୟରେ ଫୁଟବଲ୍ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ୍‌ର ପ୍ରେସ୍ ବକ୍ସ ଭୂମିକମ୍ପ ଯୋଗୁଁ ଦୋହଲି ଉଠିଥିଲା।

ଭୂମିକମ୍ପ ପରେ ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗ ତୁରନ୍ତ ନିଜର ଜରୁରୀକାଳୀନ ଭୂମିକମ୍ପ ପ୍ରତିକ୍ରିୟା ବ୍ୟବସ୍ଥାକୁ ସକ୍ରିୟ କରିଥିଲା। ସହରର ୧୦୬ଟି ଅଗ୍ନିଶମ କେନ୍ଦ୍ରରୁ କର୍ମଚାରୀମାନଙ୍କୁ ମୁତୟନ କରାଯାଇ ବିଭିନ୍ନ ଭିତ୍ତିଭୂମି ଓ କୋଠାବାଡ଼ିର ସ୍ଥିତି ଯାଞ୍ଚ କରାଯାଇଥିଲା।

ତେବେ ଯାଞ୍ଚ ସମୟରେ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଆହତ ହେବାର ଖବର ମିଳିନଥିଲା। ଏହାପରେ ବିଭାଗ ପୁଣି ସ୍ୱାଭାବିକ କାର୍ଯ୍ୟକଳାପକୁ ଫେରିଥିଲା। ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ତୁରନ୍ତ କୌଣସି ଗୁରୁତର ଆହତ କିମ୍ବା ବଡ଼ ଧରଣର କୋଠାବାଡ଼ି କ୍ଷତିର ରିପୋର୍ଟ ମିଳିନଥିବା ସ୍ପଷ୍ଟ କରାଯାଇଛି।