ଓଡ଼ିଶାର ସ୍ୱାର୍ଥ ଓ ସମୃଦ୍ଧି ସୁରକ୍ଷା କ୍ଷେତ୍ରରେ ଫେଲ ମାରିଛି ଡବଲ ଇଞ୍ଜିନ ସରକାର: ବିଜେଡ଼ି
ଏମ୍ଏମ୍ଡିଆର ବିଲ୍ ଜରିଆରେ ରାଜ୍ୟର ଅର୍ଥନୈତିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି: ବିଜେଡି
ଝାରଖଣ୍ଡ ସରକାର ବିଲ୍ ବିରୋଧରେ ରିଜ୍ୟୋଲୁସନ ପାସ୍ କରିଥିବା ବେଳେ ଓଡ଼ିଶା ସରକାର ଚୁପ୍
ଭୁବନେଶ୍ୱର, ୨୯/୧୧: ବିଜେପି ସରକାରରେ ଓଡ଼ିଶାବାସୀଙ୍କ ଅଧିକାର ବାରମ୍ବାର କ୍ଷୁର୍ଣ୍ଣ ହେବାରେ ଲାଗିଛି । ଡବଲ ଇଞ୍ଜିନ ସରକାର ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରି ରାଜ୍ୟର ସ୍ୱାର୍ଥକୁ ଭୁଲି ଯାଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଡ. ସଂତୃପ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଡବଲ ଇଞ୍ଜିନ ସରକାରଙ୍କ ବିରୋଦ୍ଧରେ ବର୍ଷିଛନ୍ତି ।
ଡ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ଓ ସମୃଦ୍ଧି ସୁରକ୍ଷା କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ବିଜେପି ସରକାର ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟଧାରା ଜାରି ରଖିଛନ୍ତି । ଯାହାକୁ ରାଜ୍ୟବାସୀ ହÿଦୟଙ୍ଗମ କରି ସାରିଲେଣି । ଏମଏମଡିଆର ବିଲ ଓଡିଶାର ହାନି କରୁଥିବା ବେଳେ ବିଜେପି ସରକାର ତାହାକୁ ସମର୍ଥନ କରିଲେ । ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ରାଜ୍ୟର ସ୍ୱାର୍ଥକୁ ବଳି ପକାଇ ଦେଇଛନ୍ତି । ଉକ୍ତ ବିଲ୍ ଜରିଆରେ ଆଗାମୀ ୧୦୦ ବର୍ଷ ପାଇଁ କେନ୍ଦ୍ର ସରକାର ରାଜ୍ୟର କ୍ଷତି କରିଲେ । ତାହାକୁ ରାଜ୍ୟର ବିଜେପି ସରକାର ସମର୍ଥନ ଜଣାଇଲେ । ସଂସଦରେ ରାଜ୍ୟର ବିଜେପି ସାଂସଦ ମାନେ ଚୁପ ରହିଲେ । ରାଜ୍ୟର ୧ଲକ୍ଷ କୋଟିରୁ ଉଦ୍ଧ୍ୱର୍ ବକେୟା ଟିକସ ଏବଂ ପ୍ରତି ବର୍ଷ ୧୨,୦୦୦ କୋଟି ଟଙ୍କାର ଖଣି ଟିକସ କ୍ଷତି ସହିବ । ଯାହାକି ଓଡ଼ିଶାର ଅନେକ ବଡ ଅର୍ଥନୈତିକ କ୍ଷତି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଅନେକ ଗୁଡିଏ ସାଧନ ଥିଲା । କିନ୍ତୁ ରାଜ୍ୟ ସରକାର ତାହାକୁ ନକରି ଚୁପ ବସି ରହିଲେ । ଉକ୍ତ ବିଲ୍ ଦ୍ୱାରା ରାଜ୍ୟର କ୍ଷତି ହେଉଥିବାରୁ ଦଳ ମତ ନିର୍ବିଶେଷରେ ସଂସଦରେ ସ୍ୱର ଉତ୍ତୋଳନ କରିବା ପାଇଁ ସମସ୍ତ ବିଜେପି ସାଂସଦ ମାନଙ୍କୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । କିନ୍ତୁ ବିଜେପି ସାଂସଦ ମାନେ ମୁଁହ ଖୋଲିଲେ ନାହିଁ । ଖାଲି ସେତିକି ନୁହେଁ ଏନେଇ ବିଧାନସଭାରେ ଏକ ସ୍ୱତନ୍ତ୍ର ଆଲୋଚନା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ତାହା ମଧ୍ୟ କରିଲେ ନାହିଁ । ଝାରଖଣ୍ଡ ସରକାର ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଉକ୍ତ ବିଲକୁ ବିରୋଧ କରିଥିବା ବେଳେ ଓଡ଼ିଶା ସରକାର ବିଲ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ ନକରି ଜାଣିଶୁଣି ଚୁପ ରହିଲେ । ବିଜେପି ସାଂସଦ ମାନେ ନିଜ ଶପଥକୁ ଭୁଲି ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥିଲେ । ବକେୟା ରାଜସ୍ୱକୁ ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ଗତ ୨୦୨୪ ମସିହାରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ । କିନ୍ତୁ ରାଜ୍ୟର ବିଜେପି ସରକାର ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ତାହାକୁ ଆଦାୟ କରିଲେ ନାହିଁ । ଅନ୍ୟ ରାଜ୍ୟ ଆଦାୟ କରିଥିବା ବେଳେ ଓଡିଶା ସରକାରଙ୍କ ପାଇଁ ବକେୟା ୧ଲକ୍ଷ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଆଦାୟ ହୋଇ ପାରିଲା ନାହିଁ । ଝାରଖଣ୍ଡ ସରକାର ବିଲ୍ ବିରୋଧରେ ବିଧାନସଭାରେ ରିଜୁ୍ୟଲୋସନ ପାସ୍ କରିଥିବା ବେଳେ ଓଡ଼ିଶା ସରକାର ଚୁପ୍ ରହିଛନ୍ତି । ବର୍ତ୍ତମାନ ବି ରାଜ୍ୟର ସାମ୍ୱିଧାନିକ ଅଧିକାରକୁ ସୁରକ୍ଷା ନେଇ ଓଡ଼ିଶା ସରକାର ସଂସଦରେ ଉକ୍ତ ବିଲକୁ ବିରୋଧ କରୁ । ବିଜେପି ସରକାରଙ୍କ ପାଖରେ ଅନେକ ସୁଯୋଗ ଥିବା ସତ୍ତ୍ୱେ ରାଜ୍ୟର ସୁରକ୍ଷା ପାଇଁ କୌଣସି କାର୍ଯ୍ୟ କରିଲେ ନାହିଁ । ଯାହାକି ଓଡ଼ିଶାବାସୀଙ୍କୁ କୁଠାରଘାତ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ କ୍ଷେତ୍ରରେ ଅଗ୍ରାଧିକାର ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ଶାସନ କାଳରେ କେନ୍ଦ୍ର ସରକାର ପୂର୍ବରୁ ଓଡ଼ିଶାରେ ମହିଳା ସଂରକ୍ଷଣ ପ୍ରଦାନ କରିଥିଲେ । ସଂସଦରେ ବି ମହିଳା ସଂରକ୍ଷଣ ବିଲକୁ ବିଜେଡି ସମର୍ଥନ ଜଣାଇଥିଲା । ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜେଡି ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ରହିଛି । ପୁନଃ ସୀମା ନିର୍ଦ୍ଧାରଣ ବିଲକୁ ନେଇ ବିରୋଧୀ ଦଳ ନେତା ତଥା ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ । ବିଜେଡି ସର୍ବଦା ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇଛି । ସଂସଦରେ ମଧ୍ୟ ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତିି ।
ଶ୍ରୀମତି ମଲ୍ଲିକ କହିଛନ୍ତି, ବିଜେପି ସରକାର ରାଜ୍ୟର ସ୍ୱାର୍ଥକୁ ଭୁଲି ଯାଇଛନ୍ତିି । ଅର୍ଣ୍ଣବ୍ ବାତ୍ୟାରେ ରାଜ୍ୟରେ ବନ୍ୟା ବିଭୀଷିକା ସୃଷ୍ଟି ହୋଇଥିଲା । ରାଜ୍ୟର ବଡ କ୍ଷତି ହୋଇଥିଲେ ସୁଦ୍ଧା ତାହାର ଭରଣା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତିି । ଖାଲି ଲୋକ ଦେଖାଣିଆ ପରିଦର୍ଶନ କରି ଆସୁଛନ୍ତିି । ବନ୍ୟା ପୂର୍ବରୁ ପାଣିପାଗ ବିଭାଗ ସତର୍କତା ପରେ ମଧ୍ୟ ତାହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଲେ ନାହିଁ । ଡ୍ୟାମ ଗୁଡିକରେ ସଠିକ ଭାବେ ଜଳ ପରିଚାଳନା ନକରିବାରୁ ମନୁଷ୍ୟକୃତ ବନ୍ୟା ବିଭୀଷିକା ସୃଷ୍ଟି ହୋଇଥିଲା । ରାଜ୍ୟ ସରକାରଙ୍କ ଖାମ ଖିଆଲି ନୀତି ଯୋଗୁଁ ଗଞ୍ଜାମ ଜିଲ୍ୱାର ବଡ କ୍ଷତି ହୋଇଛି । ଏନେଇ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଦାୟୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବିପର୍ଯ୍ୟୟ ପରିଚାଳନାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ବେଳେ ବର୍ତ୍ତମାନ ବିଜେପି ସରକାର ଫେଲ ମାରିଛି । ସେ ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ । କିନ୍ତୁ ତାହାକୁ ବିଜେପି ସରକାର ହÿଦୟଙ୍ଗମ କରି କାର୍ଯ୍ୟ କରିଲା ନାହିଁ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସୁନାମକୁ ନଷ୍ଟ କରିବା ପାଇଁ ବିଜେପି ସରକାର କାର୍ଯ୍ୟ କରୁଛନ୍ତି । ଚାଷୀ ମାନଙ୍କ ଅନେକ କ୍ଷତି ହୋଇଛି । କିନ୍ତୁ ସରକାର ଘୋଷଣା କରିଥିବା କ୍ଷତି ପୂରଣ ମଧ୍ୟ ପ୍ରଦାନ କରିଲେ ନାହିଁ । ବିଜେପି ସରକାର କେବଳ ଆତ୍ମ ପ୍ରଚାର ଓ ଦଳୀୟ ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହିଛନ୍ତି । ବିଜେଡି ଏକ ଟିମ ବନ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ କ୍ଷତି ପୂରଣ ପ୍ରଦାନ ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଲୋକଙ୍କ ଦୁଃଖକୁ ହୃଦୟଙ୍ଗମ୍ କରିଲେ ନାହିଁ କି କ୍ଷତି ପୂରଣ ପ୍ରଦାନ କରିଲେ ନାହିଁ । ଆସନ୍ତା ସପ୍ତାହକ ମଧ୍ୟରେ କ୍ଷତି ପୂରଣ ଓ କ୍ଷୟକ୍ଷତିର ମରାମତି କରିବା ବ୍ୟବସ୍ଥା ନକରିଲେ ବିଜେଡି ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇ କହିଛନ୍ତି ।
କ୍ୟାପଟେନ୍ ଶ୍ରୀ ମିଶ୍ର କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । କଟକରେ ଜଣକର ହତ୍ୟା କରିବା ସହ ଅନ୍ୟ ମାନଙ୍କୁ ସଂଗବଦ୍ଧ ଭାବେ ଆକ୍ରମଣ କରିଲେ । ପୋଲିସ ଦେଖଣାହାରି ସାଜିଥିଲା । ରାଜ୍ୟର କ୍ରାଇମ ମାତ୍ରା ଅନେକ ବୃଦ୍ଧି ପାଇଛି । ରାଜ୍ୟରେ ପୂର୍ବରୁ ଏହିପରି ଘଟଣା ଦେଖିବାକୁ ମିଳୁନଥିଲା । ଗୋପାଳପୁର, ଧଉଳି, ବାଲି ହରଚଣ୍ଡୀ ଆଦିରେ ଗଣ ଦୁଷ୍କର୍ମ ସମେତ କେନ୍ଦୁଝରରେ ଆଦିବାସୀ ମାନଙ୍କୁ ଆକ୍ରମଣ ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ପ୍ରମାଣିତ କରୁଛି । ଅପରାଧୀ ମାନେ ରାଜ୍ୟରେ ପୋଲିସ ପ୍ରସାଶନ ସ୍ଥାଣୁ ସାଜିଛି ବୋଲି ଜାଣି ସାରିଲେଣି । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନକୁ ଅପରାଧୀ ମାନେ ଆଉ ଭୃକ୍ଷେପ କରୁନାହାନ୍ତି । ଯାହା ଫଳରେ ନିୟମିତ ଭାବେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ପ୍ରତିଦିନ ୮ଟି ଦୁଷ୍କର୍ମ, ୨୦ଟି ଅସଦାଚରଣ, ୨୦ଟି ମହିଳାଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟକଳାପ ଓ ୨୫ଟି ଯୌତୁକ ନିର୍ଯାତନା ଆଦି ମାମଲା ହେଉଛି । ରାଜ୍ୟ ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଓଡ଼ିଶାକୁ ଭ୍ରମଣ କରିବାକୁ ଆସୁଥିବା ବିଦେଶୀ ମହିଳା ମାନଙ୍କୁ ତାଙ୍କ ସରକାର ସଚେତନ କରୁଛନ୍ତି । ରାଜ୍ୟରେ ବାଳ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଅଧିନରେ ଥିବା ଗୃହ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ହତ୍ୟା, ଦୁଷ୍କର୍ମ ହେଉଥିବା ବେଳେ ପୋଲିସ ପ୍ରଶାସନ ରୋକିବାରେ ବିଫଳ ହୋଇଛନ୍ତି । ବିଜେଡି ସରକାର ସମୟରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ଏମିତି ନଥିଲା । ବର୍ତ୍ତମାନ ବିଧାନସଭା ଜାରି ଥିବା ବେଳେ ଅପରାଧ ରୋକିବା ପାଇଁ ରାଜ୍ୟ ସରକାରଙ୍କ କଣ ପଦକ୍ଷେପ ଗ୍ରହଣ କରିବେ । ସେନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଜ ବିବୃତ୍ତି ଉପସ୍ଥାପନ କରନ୍ତୁ । ଅଢେଇ ବର୍ଷରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ରାଜ୍ୟରେ ଶୀର୍ଷ ସ୍ଥାନରେ ଥିବା ବେଳେ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ଏଥି ସହିତ ସ୍ପଷ୍ଟୀକରଣ ମଧ୍ୟ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।