ନୂଆଦିଲ୍ଲୀ: ହ୍ବାଟ୍ସଆପ ପକ୍ଷରୁ କରାଯାଇଥିବା ଏକ ଟ୍ବିଟରେ ଭାରତର ଭୁଲ ମାନଚିତ୍ର ଦର୍ଶାଯାଇଥିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀ କଡା ତାଗିଦ କରିବା ପରେ ହ୍ଵାଟ୍ସଆପ କ୍ଷମା ମାଗିଛି। ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ ଅଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ମାଗୁଛି ଏବଂ ଭବିଷ୍ୟତରେ ଏନେଇ ସତର୍କ ରହିବ ବୋଲି ହ୍ଵାଟ୍ସଆପ କହିଛି। ବାସ୍ତବରେ, ମେଟା ମାଲିକାନା ମେସେଜିଂ ଆପ୍ ହ୍ଵାଟ୍ସଆପ ଏହାର ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଥିଲା ଯେଉଁଥିରେ ଭାରତର ମାନଚିତ୍ର ଭୁଲ ଭାବରେ ଦେଖାଯାଇଥିଲା। ଭିଡିଓରେ ଭାରତର ମାନଚିତ୍ରରେ ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଚୀନ୍ ଦ୍ୱାରା ଦାବି କରାଯାଉଥିବା କିଛି ଭାରତୀୟ ଅଞ୍ଚଳକୁ ଛାଡି ଦିଆଯାଇଥିଲା ।
ଏହାକୁ ଦେଖି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ହ୍ଵାଟ୍ସଆପର ଏହି କାର୍ଯ୍ୟ ପାଇଁ ହ୍ଵାଟ୍ସଆପକୁ ତାଗିଦ୍ କରି ଭିଡିଓ ଠିକ୍ କରିବାକୁ କହିଥିଲେ। ଏହି ଗ୍ରାଫିକ୍ସ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜୀବ ଚନ୍ଦ୍ରଶେଖର ଏକ ଟ୍ୱିଟରେ କହିଥିଲେ ଯେ ଭାରତରେ ନିଜର ବ୍ୟବସାୟ ଚଳାଇବାକୁ ଚାହୁଁଥିବା କିମ୍ବା ଭାରତରେ ନିଜର ବ୍ୟବସାୟକୁ ଆହୁରି ବିସ୍ତାର କରିବାକୁ ଚାହୁଁଥିବା ଯେକୌଣସି ପ୍ଲାଟଫର୍ମ ଏପରି ଭୁଲ କରିବାରୁ ଦୂରେଇ ରହିବା ଉଚିତ୍ ।