ଇଡିରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱରଙ୍କ ଚାଟାର୍ଡ ଏକାଉଣ୍ଟାଣ୍ଟ

ଆଜି ଇଡିରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଓ ତାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ଚାଟାର୍ଡ ଏକାଉଣ୍ଟାଣ୍ଟ। ଏଣେ ଖଗେଶ୍ୱରଙ୍କ ପତ୍ନୀ ସୁସ୍ମିତା ପାତ୍ର ବି ହାଜର ହୋଇଛନ୍ତି। ଏମାନଙ୍କୁ ଟଙ୍କା କାରବାର ନେଇ ଜେରା କରୁଛି ଇଡି। ସସ୍ମିତା ହେଉଛନ୍ତି ଖଗେଶ୍ୱରଙ୍କ ସୁପ୍ରିମ ଅଟୋ ମୋବାଇଲରେ ୫୦% ପାର୍ଟନର। ଏହି କାରଣରୁ ତାଙ୍କୁ ଇଡି ଡାକି ଖୋଳତାଡ଼ କରୁଥିବାର ସୂଚନା ରହିଛି।

ଏଣେ ଅର୍ଚ୍ଚନାଙ୍କ ସତ୍ୟବିହାର ଘରର ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଆଜି ଇଡିର ୪ ଜଣିଆ ଟିମ୍ ଓ ଭାଲ୍ୟୁଏସନ୍ ଟିମ୍ ସହିତ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରକୁ ଯାଇ ମାପଚୁପ୍ ଆରମ୍ଭ କରିଛନ୍ତି। କେତେ ବର୍ଗଫୁଟର ଜମି ଓ ବିଲଡିଂରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ଆକଳନ କରିବା ଆରମ୍ଭ କରିଛି ଇଡି। କେବଳ ଜମି ଓ ବିଲଡିଂ କାହିଁକି ଘର ଭିତରେ ଥିବା ସମସ୍ତ ଆସବାବପତ୍ରର ମଧ୍ୟ ମୂଲ୍ୟ ଆକଳନ କରାଯାଇଛି। ଖୁବ୍ ଶୀଘ୍ର ଏସବୁ ରିପୋର୍ଟ ଇଡିର ଅଧିକାରୀମାନେ ଦିଲ୍ଲୀ ପଠାଇବେ। ଦିଲ୍ଲୀରୁ ଅନୁମତି ଆସିବା ପରେ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଖଗେଶ୍ବରର ନିର୍ମା‌ଣାଧୀନ ବିଲଡିଂ ଓ ଜମିର ମଧ୍ୟ ମୂଲ୍ୟ ଆକଳନ କରିଛି ଇଡି।