ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନିମାସ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟ କହିଛନ୍ତି। ସୌମ୍ୟଙ୍କ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ବର୍ଷ ଜାନୁଆରି ୩୦ତାରିଖ ଦିନ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ମଡେଲ ସୌମ୍ୟ ଆତ୍ମହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଫେବ୍ରୁଆରି ୨ତାରିଖ ଦିନ ସୌମ୍ୟଙ୍କ ଭଉଣୀ ଇନଫୋସିଟି ଥାନାରେ ଏହି ଘଟଣା ନେଇ ଏତଲା ଦେଇଥିବା ବେଳେ ପୁଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ଅଭିଯୋଗ ହୋଇଥିଲା। ଫେବ୍ରୁଆରି ୧୯ତାରିଖରେ ସେ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଭୁବନେଶ୍ୱର ଡିସିପିଙ୍କ ପାଖରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ପୁଲିସ ନିଷ୍କ୍ରିୟତା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।