ରାଜଧାନୀରେ ପୁଣି କୃଷକ ଆନ୍ଦୋଳନ

ରାଜଧାନୀରେ ଆଜି ସକାଳେ ପୁଣି କୃଷକ ଆନ୍ଦୋଳନ ଦେଖିବାକୁ ମିଳିଛି। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ ହୋଇଥିଲା ପୁଲିସ। ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲେ।

ନବୀନ ନିବାସ ଯିବା ବାଟରେ ପୁଲିସ ଅଟକାଇବା ଯୋଗୁ କୃଷକ ଓ ପୁଲିସ୍ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ଏହି ସମୟରେ ହାତରେ ପ୍ଲାକାର୍ଡ ଧରି ଚାଷୀମାନେ ନବୀନ ନିବାସ ଆଡ଼କୁ ଯାଉଥିଲେ। ଏହି ଆନ୍ଦୋଳନରେ ବହୁ ମହିଳା ବି ସାମିଲ ହୋଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଧାନର ସହାୟକ ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ। ଦଲାଲମାନେ ମାଲାମାଲ ହେଉଛନ୍ତି, ଆଉ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।