ଜେଲରୁ ମୁକୁଳିବା ପରେ ଆଖି ବୁଜିଲେ ପ୍ରସୂତୀ; ନବଜାତ ଶିଶୁ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଅଣ୍ଡିରାକଞ୍ଚରେ ଉତ୍ତେଜନା

କମ୍ପାନିରେ କାମ ଦାବିରେ ଆନ୍ଦୋଳନରତ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛି ଅଣ୍ଡିରାକଞ୍ଚ ପୁଲିସ୍। ହତ୍ୟା ଅଭିଯୋଗରେ ପୁଲିସ୍ ୧୩ ମହିଳାଙ୍କୁ ରାତିଅଧରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୀର୍ଘ ୧୪ ଦିନ ପରେ ମହିଳାମାନେ ଜାମିନରେ ମଙ୍ଗଳବାର ଜେଲରୁ ମୁକୁଳିଥିଲେ। ସେମାନଙ୍କ ମଧ୍ୟରେ ଗର୍ଭବତୀ ଥିବା ମୁଲା ନାୟକ ବୁଧବାର ରାତିରେ ରାୟଗଡ଼ା ମେଡ଼ିକାଲରେ ଶିଶୁ ପୁତ୍ର ଜନ୍ମ କରିବା ପରେ ମୃତ୍ୟୁବରଣ କରିଛନ୍ତି। ଚିକିତ୍ସା ଅଭାବରୁ ମୁଲାଙ୍କ ମୃତ୍ୟୁ ହୋଇଥିବା ବେଳେ ନବଜାତ ଶିଶୁ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ମୁଲାଙ୍କ ମୃତ୍ୟୁ ପରେ ଅଣ୍ଡିରାକଞ୍ଚରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ମୃତଦେହ ରଖି ଥାନା ଘେରାଉ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

କାଶୀପୁର ବ୍ଲକ୍ ଅଣ୍ଡିରାକଞ୍ଚ ଗ୍ରାମର ମହିଳାମାନେ ଉତ୍କଳ ଆଲୁମିନା କମ୍ପାନିରେ ଦୈନିକ କାମ ଦାବିରେ ଦୀର୍ଘ ମାସ ହେଲା ଆନ୍ଦୋଳନ କରି ଆସୁଥିଲେ। ଅଣ୍ଡିରାକଞ୍ଚ ଗ୍ରାମ ଦେଇ କମ୍ପାନିର କନଭେୟାର ବ୍ଲେଟ୍ ଯାଇଥିବା ବେଳେ ସେଥିରେ ବକ୍ସାଇଟ୍ ପରିବହନ ମଧ୍ୟ ହେଉଛି। ଆନ୍ଦୋଳନ ତୀବ୍ରତର ହେବା ପରେ ଡିସେମ୍ବରରେ କାଶୀପୁର ତହସିଲଦାର ଓ କମ୍ପାନି କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ମହିଳାଙ୍କୁ କାମ ପ୍ରଦାନ ପାଇଁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ କାମ ମିଳିବାରେ ବିଳମ୍ବ ହେବା ପରେ ପୁର୍ନବାର ମହିଳାମାନେ ଧାରଣାରେ ବସିଥିଲେ। ଡିସେମ୍ବର ୨୬ ତାରିଖ ରାତିରେ ଅଣ୍ଡିରାକଞ୍ଚ ପୁଲିସ୍ ୧୩ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫ ମହିଳାଙ୍କ ମଧ୍ୟରେ ଗର୍ଭବତୀ ମୁଲାଙ୍କ ସହ ଅନ୍ୟ ୪ ଜଣ ପ୍ରସୂତି ମହିଳା ଓ ୪ ଜଣ ନବଜାତ ଶିଶୁ ଥିଲେ। ଯାହାକୁ ଭୃକ୍ଷେପ କରିନଥିଲା ପୁଲିସ୍। ମହିଳା କୋର୍ଟ ଚାଲାଣ ପରେ ଗ୍ରାମବାସୀ ଜାମିନ୍ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜାନୁଆରୀ ୬ ତାରିଖରେ କୋର୍ଟ ଜାମିନ୍ ମଞ୍ଜୁର କରିଥିଲେ ମଧ୍ୟ ପୁଲିସର ଦ୍ବିତୀୟ ମାମଲା ପାଇଁ ଜାମିନ୍ ହୋଇପାରିନଥିଲା।