ମହାନଦୀ ଉପରେ ନିର୍ମିତ ଟି-ସେତୁରେ ଦଳାଚକଟା: ୨୦ ଶ୍ରଦ୍ଧାଳୁ ଗୁରୁତର

ମହାନଦୀ ଉପରେ ନିର୍ମିତ ଟି-ସେତୁ ଉପରେ ଆଜି ଅଘଟଣ ଘଟିଛି। କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଦଳାଚକଟା ‌ଯୋଗୁଁ ୨୦ ଜଣ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ସୂଚନା ମିଳିଛି। ଏଥିରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଶୋଚନୀୟ ଅବସ୍ଥା ଥିବା ୩ ଜଣ ଲୋକଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି।

ମହାନଦୀ ଭିତରେ ଥିବା ସିଂହନାଥ ପୀଠରେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ମକରମେଳାର ଆୟୋଜନ କରାଯାଇଛି। ଏହି ମେଳାରେ କଟକ, ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି। ଭିଡ଼ ଯୋଗୁଁ ଆଜି ଦଳାଚକଟା ହୋଇଥିବା କୁହାଯାଉଛି। କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ବ୍ରିଜ୍‌ ଉପରୁ ତଳକୁ ଡେଇଁପଡ଼ିଥିବା କୁହାଯାଉଛି। ଶଦ୍ଧାଳୁଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେବେ ଏଠାରେ ହୋଇଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।