ପ୍ରକୃତିଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏତଲା ଆଧାରରେ ଖାରବେଳନଗର ଥାନାରେ ରୁଜୁ ମାମଲାରେ ଚାର୍ଜସିଟ ଦାଖଲ ହୋଇ ସାରିଛି। କିନ୍ତୁ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ନାହିଁ। ଏନେଇ ଭୁବନେଶ୍ବର ଡିସିପିଙ୍କ ନିକଟରେ ପ୍ରକୃତିଙ୍କ ଅଭିଯୋଗ ବିଚାରାଧୀନ ଥିବା ବେଳେ ଏହା ଉପରେ କିଛି ପଦକ୍ଷେପ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଆଜି ହାଇକୋର୍ଟରେ ପୁଲିସ ନିଷ୍କ୍ରିୟତା ବିରୋଧରେ ଦାୟର ମାମଲାର ଶୁଣାଣି ସମୟରେ ପ୍ରକୃତି ମିଶ୍ରଙ୍କ ତରଫରୁ ଏପରି ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ହାଇକୋର୍ଟ ମାମଲାର ଶୁଣାଣି କରି ଡିସିପିଙ୍କ ନିକଟରେ ବିଚାରାଧୀନ ପ୍ରକୃତିଙ୍କ ଅଭିଯୋଗ ଉପରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତିଙ୍କ ଅଭିଯୋଗ ଉପରେ ଶୁଣାଣି କରି ଡିସିପି ୨ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ହାଇକୋର୍ଟ ପ୍ରକୃତିଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକୃତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପୁଲିସ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ପ୍ରକୃତି ୨୦୨୨, ଅଗଷ୍ଟ ୨୩ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।