ପୁଣି ଗୋପାଳର ମେଡିକାଲ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚ, ଖାରଜ କଲେ କୋର୍ଟ

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପୁଣି ଅଭିଯୁକ୍ତ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜେଏମଏଫସି କୋର୍ଟରେ ପ୍ରାର୍ଥନା କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ଆଜି କୋର୍ଟରେ ଆବେଦନ କରିଥିଲେ ତଦନ୍ତ ଅଧିକାରୀ । କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି କୋର୍ଟରେ କୁହାଯାଇଥିଲା ଯେ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କର ମାନସିକ ରୋଗ ଥିବାର ଇତିହାସ ରହିଛି । ଅଭିଯୁକ୍ତଙ୍କ ମାନସିକ ସ୍ଥିତି ବାବଦରେ ଜାଣିବାକୁ ଚାରିଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା। ବୋର୍ଡ ତାଙ୍କୁ ପରୀକ୍ଷା କରି ବିଶ୍ଳେଷଣ କରିଥିଲା। ପରେ ବୋର୍ଡ ମତ ଦେଇଛି ଯେ ତାଙ୍କ ମାନସିକ ଅବସ୍ଥା ବିଷୟରେ ଜାଣିବା ପାଇଁ ଅଭିଯୁକ୍ତଙ୍କ ବିସ୍ତୃତ ପରୀକ୍ଷା କରିବାର ଆବଶ୍ୟକତା ରହିଛି। ତେବେ କ୍ରାଇମବ୍ରାଞ୍ଚର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି | ଅନ୍ୟପଟେ ଅଭିଯୁକ୍ତ ‌ଏଏସଆଇ ଗୋପାଳ ଦାସ ଓ ତାର ପରିବାରକୁ ସୁରକ୍ଷା ପ୍ରସଂଗ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି।