ବଜେଟ ଅଧିବେଶନ ପୂର୍ବରୁ ବିଜେପିର ରଣନୀତି: ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ଅନୁଷ୍ଠିତ

ଆସନ୍ତା ୨୧ ତାରିଖରୁ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଆରମ୍ଭ ହେବାକୁ ଯାଉଛି | ଆଉ ବିଧାନସଭାରେ କେଉଁ ସବୁ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିବ ସେନେଇ ବିଜେପିର ରଣନୀତି ପ୍ରସ୍ତୁତ କରାଯାଇଛି | ମଙ୍ଗଳବାର ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବ ବିଜେପି । ଏହାସହ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା , ଚାଷ ଓ ଚାଷୀଙ୍କ ସମସ୍ୟା, ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ଉପସ୍ଥାପନ କରିବ ବିଜେପି । ବଜେଟ ଅଧିବେଶନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ବିଧାୟକ ଦଳ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି । ତାଙ୍କ ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଦିଗରେ ବିଫଳ ହୋଇଛନ୍ତି । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସର୍ବସାଧାରଣରେ ହତ୍ୟା କରାଯିବା ଏହାର ଏକ ଜ୍ୱଳନ୍ତ ଉଦାହରଣ । ଦ୍ଵିତୀୟରେ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ସବୁ ସାମ୍ନାକୁ ଆସୁଛି, କିନ୍ତୁ ସରକାର ଏନେଇ କୌଣସି ଠୋସ ଉଦ୍ୟମ କରୁନାହାନ୍ତି । ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ମଧ୍ୟ ବିଜେପି କାଲି ସରକାରଙ୍କୁ ଘେରିବ ବୋଲି କହିଛନ୍ତି ମୋହନ ମାଝୀ ।