ଆପକୁ ଶକ୍ତ ଧକ୍କା : ଦିଲ୍ଲୀ ଏମସିଡି ଷ୍ଟାଣ୍ଡିଂ କମିଟିରେ ପୁନଃ ନିର୍ବାଚନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ମହାନଗର ନିଗମ ( ଏମସିଡି)ର ଷ୍ଟାଣ୍ଡିଂ କମିଟିରେ ପୁନଃ ନିର୍ବାଚନ କରିବାକୁ ମେୟର ସେଲି ଓବରୟଙ୍କ ନିଷ୍ପତ୍ତି ଉପରେ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏହାସହିତ ହାଇକୋର୍ଟ ଉପରାଜ୍ୟପାଳ, ମେୟର ଓ ମହାନଗର ନିଗମକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ବାଲଟ୍ ପେପର, ସିସିଟିଭି ଫୁଟେଜ୍ ଏବଂ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ସଂରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ମେୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଫଳରେ ଆମ ଆଦମି ପାର୍ଟି (ଆପ୍)କୁ ଏକ ଶକ୍ତ ଧକ୍କା ଲାଗିଛି ।

ଦିଲ୍ଲୀ ମହାନଗର ନିଗମ (ଏମସିଡି) ଗୃହରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଚୟନ ବେଳ ହୋଇଥିବା ସଂଘର୍ଷ ପରେ ଆମ୍ ଆଦମୀ ପାର୍ଟି (ଆପ୍) ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବିଜେପି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ସୋମବାର ପୁଣି ଥରେ ନିର୍ବାଚିତ ହେବାର ଥିଲା, କିନ୍ତୁ ଆଜି ଦିଲ୍ଲୀ ହାଇକୋର୍ଟ ମେୟରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ।