ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡ଼ା ପ୍ରେତ୍ସାହନକାରୀ ରାଜ୍ୟର ମାନ୍ୟତା, ମୁଖ୍ୟମନ୍ତ୍ରୀ ଗ୍ରହଣ କଲେ ପୁରସ୍କାର

ସ୍ପୋର୍ଟସଷ୍ଟାର ଏସେସ୍ ୨୦୨୩ ପକ୍ଷରୁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡା ପ୍ରେତ୍ସାହନକାରୀ ରାଜ୍ୟ ଭାବେ ପୁରସ୍କାର ଦିଆଯାଇଛି । ମୁମ୍ବାଇଠାରେ ସୋମବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।  କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନୀଲ ଗାଭାସ୍କରଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କ୍ରମାଗତ ୪ର୍ଥ ଥର ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି ।

ଦେଶର ପ୍ରସିଦ୍ଧ କ୍ରୀଡ଼ା ପତ୍ରିକା ସ୍ପୋର୍ଟସଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ । ମୁମ୍ବାଇଠାରେ ଅନୁଷ୍ଠିତ ସମାରୋହରେ ଦେଶର ଜଣାଶୁଣା କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ରାଜ୍ୟରେ ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ଗଠନ କରିବା ସହ ହକି ବିଶ୍ବକପ ପରି ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ଦିଆଯାଇଛି । ଓଡ଼ିଶାର କ୍ରୀଡ଼ା ମଡେଲ ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ବିକାଶ ସହ ଦକ୍ଷ କ୍ରୀ଼ଡା଼ବିତମାନଙ୍କୁ ପ୍ରଶିକ୍ଷଣ ଓ ପ୍ରେତ୍ସାହନ ମଧ୍ୟ ପ୍ରଦାନ କରୁଛି । ଗତ ହକି ବିଶ୍ବକପ ପୂର୍ବରୁ ରାଉରକେଲାଠାରେ ବିଶ୍ବର ବୃହତ୍ତମ ବସିବା କ୍ଷମତା ଥିବା ହକି ଷ୍ଟାଡିୟମକୁ ଉଦଘାଟନ କରାଯାଇଥିଲା ।