ଗିରଫ ପରେ ୫ଦିନ ପାଇଁ ସିବିଆଇ ରିମାଣ୍ଡକୁ ଗଲେ ମନୀଷ ସିସୋଦିଆ

ରବିବାର ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପାଖାପାଖି ୮ ଘଣ୍ଟା ପଚରାଉଚରା ପରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ତାଙ୍କୁ ୫ଦିନ ପାଇଁ ସିବିଆଇ ରିମାଣ୍ଡକୁ ପଠାଇଛନ୍ତି। ଏବେ ସେ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ। ମନୀଷ ସିସୋଦିଆଙ୍କୁ ତଦନ୍ତକାରୀ ସଂସ୍ଥା ୫ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିବା ବେଳେ କୋର୍ଟ ଏହାକୁ ମାନି ନେଇଛନ୍ତି। ଏହାପରେ ତାଙ୍କୁ ସିବିଆଇ ହେଡକ୍ବାର୍ଟରକୁ ନିଆଯାଇଛି।

ଗିରଫ ପୂର୍ବରୁ ମନୀଷ ସିସୋଦିଆ ଟ୍ୱିଟ୍ କରି କହିଥିଲେ ଯେ, ‘ଆଜି ମୁଁ ସିବିଆଇ ମୁଖ୍ୟାଳୟକୁ ଯାଉଛି, ତଦନ୍ତରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି। ମୋ ପ୍ରତି ଲକ୍ଷ ଲକ୍ଷ ପିଲାଙ୍କ ଶ୍ରଦ୍ଧା ଓ କୋଟି କୋଟି ଦେଶବାସୀଙ୍କ ଆଶୀର୍ବାଦ ରହିଛି। ଯଦି କିଛି ମାସ ଜେଲ୍‌ରେ ରହିବାକୁ ପଡ଼େ, ସେଥିପାଇଁ ମୋର ଚିନ୍ତା ନାହିଁ। ମୁଁ ଭଗତ ସିଂହଙ୍କର ଅନୁଗାମୀ। ଦେଶ ପାଇଁ ଭଗତ ସିଂହଙ୍କୁ ଫାଶୀ ଦିଆଯାଇଥିଲା। ଏଭଳି ମିଥ୍ୟା ଅଭିଯୋଗ କାରଣରୁ ଜେଲ୍‌ ଯିବା ସାମାନ୍ୟ କଥା।’